ନୀଳଗିରି, (୧୧/୦୭) : ଆପ୍ର : ବାଲେଶ୍ବର ଜିଲ୍ଲା ନୀଳଗିରି ସହରରେ ବୁଲୁଛି ଭାଲୁ । ଭାଲୁକୁ ଦେଖି ସହରବାସୀ ଆତଙ୍କିତ ହୋଇପଡିଛନ୍ତି । ସ୍ଵର୍ଣ୍ଣଚୁଡ଼ ଜଙ୍ଗଲରୁ ଏକ ଭାଲୁ ଆସି ନୀଳଗିରି ସହରରେ ବୁଲୁଥିବାର ଦେଖିବାକୁ ମିଳିଛି ।
ରାସ୍ତାରେ ସାଇକେଲରେ ଯାଉଥିବା ଦୁଇ ଯୁବକଙ୍କ ଉପରକୁ ଝାମ୍ପିପଡ଼ିଲା ଭାଲୁ । ଏଥିଯୋଗୁ ଡ୍ରେନରେ ପଡ଼ି ଦୁଇ ଯୁବକ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବଜାରରୁ ସାଇକେଲ ଯୋଗେ ଘାଟଘରସାହି ଅଞ୍ଚଳର ଦୁଇ ଜଣ ଯୁବକ ରାହୁଲ ସିଂ ଓ ସନ୍ତୋଷ ସିଂ ଘରକୁ ଫେରୁଥିବା ବେଳେ ଭାଲୁ ଗର୍ଜନ କରି ରାସ୍ତା ପାର ହେଉଥିଲା । ସେହି ସମୟରେ ଜଗନ୍ନାଥ ମନ୍ଦିର ପଛ ପଟ ଗଳି ନିକଟରେ ଭାଲୁ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲା । ରାହୁଲଙ୍କର ଗୋଡ଼ରେ ଆଘାତ ଲାଗିଥିବାବେଳେ ସନ୍ତୋଷଙ୍କର କାନରେ ଆଘାତ ଲାଗିଥିବାର ସୂଚନା ମିଳିଛି । ପାଖ ଲୋକଙ୍କୁ ଡାକ ପକାଇବାରୁ ଭାଲୁଟି ପଳାଇଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଥିବା ଭୟକୁ ଆହୁରି ବଢ଼ାଇଦେଇଛି ।

