ବଲାଙ୍ଗୀର//ସିନ୍ଧେକେଲା, (୨୭/୦୮) : ଆପ୍ର : ବଲାଙ୍ଗିର ପୋଲିସ ସିନ୍ଧେକେଲା ଅଞ୍ଚଳ ରେ ଚୋରୀ ଓ ଡକାୟତି ଘଟଣା ର ପର୍ଦାଫାଶ କରିଛି ।
ଡକାୟତି ଓ ଚୋରି ଘଟଣାର ପର୍ଦ୍ଦାଫାଶ ନେଇ ସିନ୍ଧେକେଲା ଥାନା ଘେରାଉ କରାଯାଇଥିଲା । ଖୋଦ୍ ବଲାଙ୍ଗିର ଏସ୍ପି ଏହି ଘଟଣାକୁ ନେଇ ରିଜର୍ଭ ପୋଲିସ ଠାରେ ଏକ ପ୍ରେସମିଟ କରି ଘଟଣାର ଖୁଲାସା କରିଛନ୍ତି । ଗତ ପ୍ରାୟ ଦୁଇ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା ସ୍ଥିତ ମା’ ଦ୍ୱାରସେନୀ ଦେବୀଙ୍କ ମନ୍ଦିରରୁ ଚୋରି ତଥା ସୁନା ବ୍ୟବାସୀୟୀଙ୍କ ଘରୁ ଡକାୟତି ମାମଲାରେ ସୁନା, ରୂପା, ଘଟଣାରେ ବ୍ୟବହୃତ ଏକ ବଲେରୋ ଗାଡ଼ି ଓ ଏକ ରେସିଙ୍ଗ୍ ବାଇକକୁ ଜବତ କରିଥିବା ବେଳେ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍ପି । ଗିରଫ ଅଭିଯୁକ୍ତମାନେ ସମସ୍ତେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ହୋଇଥିବା ସୂଚନା ରହିଛି ।
ରାୟଗଡ଼ା ଜିଲ୍ଲାରୁ ବାଇକ୍ ଯୋଗେ ଆସି ପ୍ରଥମେ ବଲାଙ୍ଗିର ଜିଲ୍ଲା ସିନେ୍ଧକେଲା ଅଂଚଳରେ ରେକି କରୁଥିଲେ । ଏହା ପରେ ଘରକୁ ଘର ଦେଖି ବୋଲେରୋରେ ଆସି ଚୋରି କରୁଥିଲେ । କୋଟି କୋଟି ଟଙ୍କାର ସୁନା ରୂପା ଅଳଙ୍କାର ଧରି ଫେରାର୍ ମାରୁଥିଲେ । ପୋଲିସକୁ ସନ୍ଦେହ ହେବନି କହି ରଚିଥିଲେ ଅଲଗା ପ୍ରକାର ଯୋଜନା । ଯାହାକୁ ନେଇ ବଲାଙ୍ଗିର ପୋଳିସ ଏକ ପାଂଚ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ଓ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଖରଯୋଡ଼ା ଗାଁ’ରେ ଚଢାଉ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସକୁ ପାହାଡ଼ ଘେର ରାସ୍ତାରେ ପାଖାପାଖି ପାଞ୍ଚ କିଲୋମିଟର ଚାଲିବାକୁ ପଡ଼ିଥିଲା ।
୭ ଜଣ ଅଭିଯୁକ୍ତଙ୍କୁ ଧରି ୨ କେଜି ସୁନା, ୨୫ କେଜି ରୂପା, ନଗଦ ୧୦ ଲକ୍ଷ ଟଙ୍କା ଓ ଘଟଣାରେ ବ୍ୟବହୃତ ବଲେରୋ ଗାଡ଼ି, ବାଇକକୁ ଜବତ କରିବାରେ ସଫଳ ହୋଇଥିଲା ବଲାଙ୍ଗିର ପୋଲିସ । ଅଭିଯୁକ୍ତମାନେ କାଳେ ପୋଲିସ ଧରି ଦେବ ଭାବି କିଏ ମାଟିରେ ସୁନା ଅଳଙ୍କାର ଲୁଚେଇ ରଖିଥିଲେ ତ ଆଉ କିଏ ରୋଷେଇ ଘରେ ଲୁଚେଇକି ରଖିଥିଲେ । ପୋଲିସର ସ୍ୱତନ୍ତ୍ର ଟିମ୍ ମାଡ଼ି ବସି ଚଢାଉ କରି ଘଟଣାରେ ସଫଳ ହୋଇଥିବା ବେଳେ ଉଦ୍ଧାର ଚୋରି ସାମଗ୍ରୀର ବଜାର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ବଲାଙ୍ଗିର ଏସ୍ପି ଅଭିଳାଷ ଜୀ କହିଛନ୍ତି । ଏପଟେ ଘଟଣାକୁ ନେଇ ମା’ ଦ୍ୱାରସେନୀ ମନ୍ଦିର ପୂଜାରୀ, ଥାନା ଘେରାଉ କରିଥିବା ଆଦିବାସୀ ନେତା ବ୍ୟବସାୟୀ ବଲାଙ୍ଗିର ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।

