ଗୁଣୁପୁର, (୧୧/୦୯) : ଆପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏ ଆଇ ସି ଟି ଇ) ପକ୍ଷରୁ ‘ଅଟଳ ବାଣୀ’ (ଭାରତୀୟ ଭାଷାର ବିକାଶ, ସଂରକ୍ଷଣ ଓ ସମୃଦ୍ଧି ପାଇଁ ସକ୍ରିୟ ପ୍ରୟାସ)” କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ସାଇବର ସୁରକ୍ଷା ଓ ସୁଦୃଢ଼ ପ୍ରଣାଳୀ ” ଶୀର୍ଷକରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି ।
ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ଏହି ଜାତୀୟ ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ପ୍ରତିଷ୍ଠାନର ସଦସ୍ୟ – ସଚିବ ଡ଼ଃ. ସୁବ୍ରତ କୁମାର ପୃଷ୍ଟି ଯୋଗଦେଇ ସାଇବର ସୁରକ୍ଷାର ବର୍ତ୍ତମାନ ପରିସ୍ଥିତି ଓ କୃତ୍ରିମ ବୁଦ୍ଧିମତ୍ତାର ବଢ଼ୁଥିବା ପ୍ରଭାବ ଉପରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ୱରସ୍ଥିତ ତାନୁମାନାସା ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍ର ଅଭିନାଶ ଦାଶ ଏବଂ ରାୟଗଡ଼ାସ୍ଥିତ ଧିଭ୍ରିତି ଟେକ୍ର ସି ଟି ଓ. ରାମା ଆର୍. ନାଇଡୁ ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗଦେଇ ସାଇବର ସୁରକ୍ଷା ଓ ଏଆଇ ପ୍ରଯୁକ୍ତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଉପକୁଳପତି ଡ଼ଃ. ଗୌତମ ଘୋଷ, ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଅଧ୍ୟକ୍ଷ ଡ଼ଃ. କେ. ମୂରଲୀ ଗୋପାଳ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ଼ଃ. କେ. ଶିବା କ୍ରିଷ୍ଣା ପ୍ରମୁଖ ମଞ୍ଚାସୀନ ରହି ବର୍ତ୍ତମାନର ଦ୍ରୁତଗତିଶୀଳ ଡିଜିଟାଲ୍ ଯୁଗରେ ସାଇବର ଆକ୍ରମଣର ଆଶଙ୍କା ଦିନକୁ ଦିନ ବଢ଼ିଚାଲିଥିବାରୁ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ସାଇବର ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପଡ଼ିଛି ବୋଲି ମତ ପ୍ରକାଶ କରିଥିଲେ । ସମ୍ମିଳନୀରେ ଏ ଆଇ ଓ ମେସିନ୍ ଲେର୍ଣିଂ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ସାଇବର ଆକ୍ରମଣର ଚିହ୍ନଟ, ପ୍ରତିରୋଧ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଭବିଷ୍ୟତରେ ବଢ଼ୁଥିବା ସାଇବର ଆହ୍ୱାନର ମୁକାବିଲା କରିବା ସହ ଦେଶର ଡିଜିଟାଲ୍ ଭିତ୍ତିଭୂମିକୁ ଅଧିକ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସୁଦୃଢ଼ କରିବାରେ ଏ ଆଇ ଆଧାରିତ ସାଇବର ସୁରକ୍ଷା ପ୍ରଣାଳୀ ଏକ ପ୍ରଭାବଶାଳୀ ମାଧ୍ୟମ ହୋଇପାରିବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଡ଼ଃ. ସତ୍ୟନାରାୟଣ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ଼ଃ. ରାଘବେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ପ୍ରଫେସର ଉପସ୍ଥିତ ଥିଲେ ।

