ଗୁଣୁପୁର, (୩୦/୮) : ଆପ୍ର : ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ, ଗୁଣୁପୁର ପାଇଁ ଆସିଛି ଗୌରବର ଆଉ ଏକ ବଡ଼ ସଫଳତା ।
କ୍ୟାମ୍ପସ୍ ପ୍ଲେସମେଣ୍ଟ ଏବଂ କର୍ପୋରେଟ୍ ରିଲେସନ୍ସ କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ଜିଆଇଇଟି ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ‘ଇଣ୍ଡିଆ ବ୍ରାଣ୍ଡ ଆଇକନ୍ ଆୱାର୍ଡ-୨୦୨୬’ ପ୍ରଦାନ କରାଯାଇଛି । ମୁମ୍ବାଇ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟାଇମ୍ ସାଇବର୍ ମିଡିଆ ପକ୍ଷରୁ ଆୟୋଜିତ ସମ୍ମାନ ସମାରୋହରେ ଜିଆଇଇଟି ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ଃ.ଚନ୍ଦ୍ରଧ୍ୱଜ ପଣ୍ଡା ଏହି ପ୍ରତିଷ୍ଠିତ ପୁରସ୍କାର ଗ୍ରହଣ କରିଥିଲେ । ଭାରତୀୟ କ୍ରିକେଟ୍ର କିମ୍ବଦନ୍ତୀ ତଥା ପୂର୍ବତନ ଭାରତୀୟ କ୍ରିକେଟର୍ ସୁନୀଲ ଗାଭାସ୍କରଙ୍କ ଠାରୁ ଡ଼ଃ. ଚନ୍ଦ୍ରଧ୍ୱଜ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଗୌରବମୟ ମୁହୂର୍ତ୍ତ ଜିଆଇଇଟି ବିଶ୍ୱବିଦ୍ୟାଳୟ ପାଇଁ ଏକ ଐତିହାସିକ ସଫଳତା ଭାବେ ପରିଗଣିତ ହୋଇଛି ।
ଛାତ୍ରଛାତ୍ରୀଙ୍କ ଉତ୍ତମ କ୍ୟାରିୟର୍ ଗଠନ, ଶିଳ୍ପ ପ୍ରତିଷ୍ଠାନ ସହ ଦୃଢ଼ ସମ୍ପର୍କ ଏବଂ ଉତ୍ତମ କ୍ୟାମ୍ପସ୍ ପ୍ଲେସମେଣ୍ଟ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ଉଲ୍ଲେଖନୀୟ ପ୍ରୟାସକୁ ଏହି ସମ୍ମାନ ସ୍ୱୀକୃତି ମିଳିଛି । ଏହି ସମ୍ମାନ ଜିଆଇଇଟି ବିଶ୍ୱବିଦ୍ୟାଳୟର ଶିକ୍ଷା, ନିଯୁକ୍ତି ଓ କର୍ପୋରେଟ୍ ସଂଯୋଗ କ୍ଷେତ୍ରରେ ଉତ୍କର୍ଷର ଏକ ପ୍ରମୁଖ ପ୍ରମାଣ । ଏହି ସଫଳତାକୁ ନେଇ ସମଗ୍ର ଜିଆଇଇଟି ବିଶ୍ୱ ବିଦ୍ୟାଳୟ ପରିବାର ମଧ୍ୟରେ ଖୁସି ଓ ଉତ୍ସାହର ବାତାବରଣ ଦେଖାଦେଇଛି ।

