ରାୟଗଡ଼ା, (୦୭/୦୬) : ଆପ୍ର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନସ୍ଥ ରିଭଲକଣା ଛକଠାରେ ଚାଲିଥିବା ଏକ ବେଆଇନ କଲରାପତରିଆ ବାଘ ଛାଲ କିଣାବିକା (ଡିଲ୍) ଉପରେ ବନ ବିଭାଗ ଚଢ଼ାଉ କରିଛି ।
ଏହି ମାମଲାରେ ବନ ବିଭାଗ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହିତ ଏକ ମୋଟରସାଇକେଲ ଏବଂ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ପରିଚୟ: ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରୁ ୩ ଜଣ କଳାହାଣ୍ଡି ଜିଲ୍ଲାର ଏବଂ ୫ ଜଣ ରାୟଗଡ଼ା ଜିଲ୍ଲାର ବୋଲି ଜଣାପଢ଼ିଛି । କଳାହାଣ୍ଡି ଜିଲ୍ଲା: ଜିତେନ୍ଦ୍ର ବେନିଆ, ଇ ଜେ ରାଓ ସାହୁ ଏବଂ ମୁନୁଗା ମାଝି ।
ରାୟଗଡ଼ା ଜିଲ୍ଲା : ଭରତ ନାଚିକା, ସୀମାଦ୍ରି ତାଡ଼ିଙ୍ଗି, କୈଳାସ ଜାନି, ପ୍ରଶାନ୍ତ କାଡ୍ରାକା ଏବଂ ଧର୍ମ ପାତିକା । କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ାଙ୍କ ସୂଚନା ଅନୁସାରେ, ଏହି ବେଆଇନ ଡିଲ୍ ସମ୍ପର୍କରେ ବନ ବିଭାଗକୁ ଦୁଇ ଦିନ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା । ଏହାକୁ ଆଧାର କରି ରାୟଗଡ଼ା ଡିଏଫଓ ସଚିନ ଆନ୍ନାସାହେବ ଓହୋଲଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ କଲ୍ୟାଣସିଂହପୁର ଓ ରାୟଗଡ଼ା ରେଞ୍ଜ ଟିମ୍ ମିଳିତ ଭାବେ ଟ୍ରାପ୍ ବିଛାଇ ଏହି ଚଢ଼ାଉ କରିଥିଲେ । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ କଳାହାଣ୍ଡି ଜିଲ୍ଲା ବନ ବିଭାଗ ଟିମ୍ ମଧ୍ୟ ସହାୟତା କରିଥିଲେ ।
କଳାହାଣ୍ଡିରୁ ହୋଇଥିଲା ଶିକାର :-
ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରାୟ ୨ ରୁ ୪ ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରୁ ମାତ୍ର ୮-୧୦ କିଲୋମିଟର ଦୂର ଜଙ୍ଗଲରେ ଏହି କଲରାପତରିଆ ବାଘର ଶିକାର କରାଯାଇଥିଲା । ଶିକାରୀ ଜଣକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଢ଼ିବା ପରେ ସେଠାକାର ବନ ବିଭାଗ ତାକୁ ମଧ୍ୟ ଗିରଫ କରିଛି । କଲ୍ୟାଣସିଂହପୁର ବ୍ଲକ ସହ କଳାହାଣ୍ଡି ଜିଲ୍ଲାର ସୀମା ନିକଟତର ହୋଇଥିବାରୁ ବେପାରୀମାନେ ଏହି ରାସ୍ତା ଦେଇ ରିଭଲକଣାକୁ ଡିଲ୍ ପାଇଁ ଆସିଥିଲେ ।

