ପୁରୀ, (୨୫/୦୯) : ଆପ୍ର : ପ୍ରଥମେ ଭାଷାଗତ ସମସ୍ୟା, ପରେ କଥା କଟାକଟି ଓ ଶେଷରେ ହାତାହାତି । ଖାଇବା ଥାଳିରେ ଚୁଟି ବାହାରିବା ଘଟଣାକୁ ନେଇ ହୋଟେଲ କର୍ମଚାରୀଙ୍କ ଆକ୍ରମଣରେ ପର୍ଯ୍ୟଟକ ଦମ୍ପତି ଗୁରୁତର ଆହତ ।
କର୍ଣ୍ଣାଟକ ମହୀଶୂରରୁ ୧୩ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ସେମାନେ ସମୁଦ୍ର ବୁଲିବା ପରେ ସମୁଦ୍ରକୂଳ ଏକ ହୋଟେଲକୁ ଖାଇବା ପାଇଁ ଯାଇଥିଲେ । ଖାଦ୍ୟରେ ଚୁଟି ପଡ଼ିଥିବାରୁ ପର୍ଯ୍ୟଟକ ଏହାକୁ ବଦଳାଇବାକୁ କହିଥିଲେ । ଏଥିପାଇଁ ହୋଟେଲ କର୍ମଚାରୀ ସେମାନଙ୍କୁ ବାବଦ ଅଧିକ ଅର୍ଥ ଦାବି କରିଥିଲେ । ପର୍ଯ୍ୟଟକ ମାନେ ଖାଦ୍ୟ ବଦଳାଇବା ପରେ ପଇସା ଦେବେ ବୋଲି କହିଥିଲେ । ଏହି ଘଟଣାରେ ହୋଟେଲ କର୍ତ୍ତୃପକ୍ଷ ହୋଟେଲ ସଟର୍ ବନ୍ଦ କରି ପର୍ଯ୍ୟଟକ ଦମ୍ପତିଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଆକ୍ରମଣରେ ମହୀଶୂରର ଭରତ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁସ୍ମିତା ଆର ଗୁରୁତର ହୋଇଛନ୍ତି । ପିସିଆର ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଘଟଣାର ସିସିଟିଭି ଭିଜୁଆଲ୍ ହସ୍ତଗତ ହୋଇଥିବା ବେଳେପ୍ରଥମେ ପର୍ଯ୍ୟଟକମାନେ ହୋଟେଲ୍ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ । ଭାଷାଗତ ସମସ୍ୟା ଏହି ଆକ୍ରମଣର ମୂଳ କାରଣ ବୋଲି କହିଛନ୍ତି । ଉଭୟ ପର୍ଯ୍ୟଟକ ଦମ୍ପତି ଓ ହୋଟେଲ୍ କର୍ମଚାରୀ ଆକ୍ରମଣରେ ଆହତ ହୋଇଥିବା ବେଳେ ସମୁଦ୍ରକୂଳ ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଏସପି କହିଛନ୍ତି ।

