ଜୟପୁର, (୨/୦୯) : ଆପ୍ର : AI କୁମ୍ଭୀର କରି ବନ୍ଧା ହେଲେ ୨ ଭାଇ । କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଜୟନ୍ତଗିରିର ବଡ଼ପଡ଼ା ନଦୀରେ ୧୦ ଫୁଟିଆ କୁମ୍ଭୀର ଥିବା AI ଫଟୋ କରି ଲୋକଙ୍କୁ ଭୟଭୀତ କରିଥିଲେ ଦୁଇ ଭାଇ ।
ଏହି ଘଟଣାର ପର୍ଦ୍ଦାଫାସ କରିଛି ବନ ବିଭାଗ । ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ AI ପ୍ରସ୍ତୁତି ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି । ଏହି ମିଥ୍ୟା ଫଟୋ ଜରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଅଭିଯୋଗରେ ବୋରିଗୁମ୍ମା ବନବିଭାଗ ବଡ଼ପଡ଼ା ଗାଁର ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ଗିରଫ କରିଛି । ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଲଦାର ଜଣେ ଚାଷୀ ସ୍ପ୍ରେ କରିବା ଲାଗି ଜମିକୁ ଯାଉଥିଲେ । ଗାଁ ପାଖ ଦେଇ ବହି ଯାଇଥିବା ବଡ଼ପଡ଼ା ନଦୀ ଭିତର ସାମାନ୍ୟ ଉଚ୍ଚ ସ୍ଥାନରେ ଦେଖିଥିଲେ ଏକ ବିରାଟ କୁମ୍ଭୀର । ପ୍ରଥମ ଥର ଲାଗି ନଦୀରେ କୁମ୍ଭୀର ଦେଖି ଡରି ଯାଇଥିଲେ ।
ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ଏ ସମ୍ପର୍କରେ ଅନ୍ୟ ମାନଙ୍କୁ ଖବର ଦେଇଥିଲେ । ହଠାତ୍ କୁମ୍ଭୀରଟି ପାଣି ଭିତରେ ଲୁଚି ଯାଇଥିଲା । ଖବରପାଇ ଗାଁର ଅନ୍ୟମାନେ ନଦୀ ପଠାରେ ପହଞ୍ଚିଥିଲେ । ପ୍ରବଳ ପାଣି ଯୋଗୁ କୁମ୍ଭୀରକୁ ଆଉ ଠାବ କରିପାରି ନଥିଲେ । ଏହାପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ନଦୀକୁ ଯିବା ବେଳେ ସତର୍କ ରହିବାକୁ ଗାଁରେ କୁହାଯାଇଥିଲା । କିନ୍ତୁ ଏହା ଏଆଇ ଫଟୋ ବୋଲି ଜଣାପଡିଛି ।

