ସୁନ୍ଦରଗଡ଼, (୧୮/୦୯) : ଆପ୍ର : କାଲିଠୁ ମହିଳା ନିଖୋଜ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ କାହ୍ନା କୁଣ୍ଡରେ ପୁଣି ଅଘଟଣ । ବୁଲିବାକୁ ଆସିଥିବା ଜଣେ ମହିଳା ପ୍ରଖର ଜଳସ୍ରୋତରେ ଭାସିଯାଇ ନିଖୋଜ ହୋଇଛନ୍ତି ।
ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ୪ ଜଣ ମହିଳା ସାଙ୍ଗ କାହ୍ନା କୁଣ୍ଡରେ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହାତ ଓ ମୁହଁ ଧୋଇବା ପାଇଁ ପାଣିକୁ ଓହ୍ଲାଇଥିବା ବେଳେ ହଠାତ୍ ଗୋଡ଼ ଖସିଯାଇଥିଲା । ଫଳରେ ସେ ପ୍ରଖର ଜଳସ୍ରୋତରେ ଭାସିଯାଇଥିବା ସୂଚନା ମିଳିଛି । ନିଖୋଜ ମହିଳା ଜଣକ ସୁନ୍ଦରଗଡ଼ ମହେଶଡ଼ିହି ଅଞ୍ଚଳର ବୋଲି ଜଣାପଡ଼ିଛି । ଘଟଣା ପରେ ତଲସରା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ତେବେ ଏଯାଏ ନିଖୋଜ ମହିଳାଙ୍କର କୌଣସି ଖୋଜଖବର ମିଳିନାହିଁ । କାହ୍ନା କୁଣ୍ଡରେ ଗତ କିଛି ବର୍ଷ ମଧ୍ୟରେ ୧୦ ଜଣ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏହାସତ୍ତ୍ୱେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

