କଲ୍ୟାଣସିଂହପୁର, (୧୩/୦୯) : ଆପ୍ର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ କରଞ୍ଜା ଗାଁ’ରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି ।
ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ପ୍ରାୟ ୧୦ଟି ହାତୀ ଗାଁ ନିକଟସ୍ଥ ଚାଷଜମିରେ ପଶି ଦୀର୍ଘ ସମୟ ଧରି ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଜଙ୍ଗଲରୁ ବାହାରି ଆସିଥିବା ହାତୀପଲ କରଞ୍ଜା-ତିଡ଼ିମାସ୍କା ମଧ୍ୟଭାଗରେ ଥିବା ଚାଷଜମିରେ ପଶିଥିଲେ । ସେଠାରେ ସୁରୁ ପ୍ରେପକା, ଜଗବନ୍ଧୁ ହିକକା ଓ ଅଭିମନ୍ୟୁ ପ୍ରେପକାଙ୍କ ଚାଷ ହୋଇଥିବା କପା, ଧାନ ଓ କାନ୍ଦୁଲ ଫସଲ ଦଳିଚକଟି ନଷ୍ଟ କରିଥିଲେ । ଏହା ସହ ବିଭିନ୍ନ ଗଛଲତା ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ସ୍ୱଳ୍ପ ବର୍ଷା ସତ୍ତ୍ୱେ ଚାଷୀମାନେ ବହୁ କଷ୍ଟରେ ଚାଷ କାମ ଆରମ୍ଭ କରିଥିଲେ । ହେଲେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ମାସ ମାସର ପରିଶ୍ରମ ନଷ୍ଟ ହୋଇଯାଇଛି ।
ଏଥିଯୋଗୁଁ ଚାଷୀମାନଙ୍କ ମଧ୍ୟରେ ଆର୍ଥିକ ଚିନ୍ତା ବଢ଼ିଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ଚାଷ ସମୟରେ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଉଛି। ହାତୀଙ୍କଠାରୁ ଫସଲ ସୁରକ୍ଷା ପାଇଁ ଚାଷୀମାନେ ରାତିସାରା ଉଜାଗର ରହି ଜମି ଜଗୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବ ରୋକିବାକୁ ଅଧିକ ପ୍ରଭାବୀ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯିବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଆକଳନ କରିଥିଲେ। ଏଥିସହ ହାତୀଙ୍କଠାରୁ ସତର୍କ ରହିବାକୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା । ଏ ସମ୍ପର୍କରେ ବନପାଳ ଭଗବାନ ସାରକା କହିଛନ୍ତି, କ୍ଷୟକ୍ଷତିର ଆକଳନ କରାଯାଇଛି । ହିତାଧିକାରୀମାନେ ଆବଶ୍ୟକ ନଥିପତ୍ର ପ୍ରଦାନ କରିବା ପରେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ।

