ପେନସନ୍, ପ୍ରୋଟେକ୍ସନ, ଆକ୍ରେଡିଟେସନ ଲାଗୁ ଦାବି; ଗ୍ରାମାଞ୍ଚଳ ସାମ୍ବାଦିକଙ୍କୁ ସମ୍ମାନ ମିଳୁନି
ମୁରିବାହାଲ, (୨୪/୦୬) : ଆପ୍ର : ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ) ବଲାଙ୍ଗିର ଶାଖାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବୁଧବାର ପାଟଣାଗଡ଼ ସହର ନିକଟସ୍ଥ ଶ୍ରୀକାନ୍ତ ପାତ୍ରଙ୍କ ଅଦ୍ୱୈତ ଉଦ୍ୟାନର ସୁନ୍ଦର ସବୁଜିମା ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସମ୍ପାଦକ ଅଭୟ ତ୍ରିପାଠୀ, ରାଜ୍ୟ ସମ୍ପାଦକ ଋତୁରାଜ ସିଂ, ପର୍ଯ୍ୟବେକ୍ଷକ ସୁରେଶ ଦାଶ, କୋଷାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ପଶାୟତ, ପୂର୍ବତନ ଜିଲ୍ଲା ସଭାପତି ଦୀପକ ସମ୍ମାଦାର, ନିର୍ବାଚନ ଅଧିକାରୀ ତଥା ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର ବରିଷ୍ଠ ସଦସ୍ୟ ସଦାଶିବ ସରାଫଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ସଭା ପ୍ରାରମ୍ଭରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ଯୁବ ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କ ଅକାଳ ବିୟୋଗକୁ ନେଇ ତାଙ୍କ ପବିତ୍ର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ବିଗତ ବୈଠକର ପାରିତ ପ୍ରସ୍ତାବ ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସାମ୍ବାଦିକଙ୍କ ସୁରକ୍ଷା, ପେନସନ ଏବଂ ଆକ୍ରେଡିଟେସନ ଉପରେ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ସହ ଦୃଷ୍ଟି ଆକର୍ଷଣ ନେଇ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା, ପରବର୍ତୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆସନ୍ତା ସେପ୍ଟେମ୍ବର ମାସରେ ଟିଟିଲାଗଡ଼ ସହରରେ ଆୟୋଜନ କରିବା, ନୂତନ ସଦସ୍ୟ ଚୟନ ପ୍ରକ୍ରିୟା ଆରମ୍ଭ କରିବା ସହ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସେସବୁ ସମସ୍ୟାର ସମାଧାନ ନେଇ ଆଗକୁ ବଲାଙ୍ଗିର ଓୟୁଜେ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ବଲାଙ୍ଗିରରୁ ଉପଦେଷ୍ଟା ଧନମତ ପାଣିଗ୍ରାହୀ, ନବୀନ ପଶାୟତ, ପୂର୍ଣ ପଣ୍ଡା, ସଚିତାନନ୍ଦ ବଗର୍ତ୍ତି, ଶରତ ମିଶ୍ର, ପାଟଣାଗଡ଼ରୁ ବଂଶୀଧର ସେଠ, ଉମାକାନ୍ତ ପ୍ରଧାନ, ପାର୍ଥବ ଭୋଇ, ଲଳିତ ମିଶ୍ର, କରୁଣାକର ବୁଡ଼େକ, ସୁନିଲ ଚୋପଦାର, ସଚ୍ଚିଦାନନ୍ଦ ମହାକୁର, ଟିଟିଲାଗଡ଼ରୁ ସଞ୍ଜୟ ବେହେରା, ଭଗବାନ ମହାନ୍ତି, ଅଶୋକ ତ୍ରିପାଠୀ; କଣ୍ଟାବାଞ୍ଜିରୁ ପୁଷ୍ପକେତୁ ବେହେରା, ସୁରଦାସ ବାଗ; ଆଗଲପୁରରୁ ପ୍ରହଲ୍ଲାଦ କୁମ୍ଭାର ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ ।

