Homelocalଓଡ଼ିଶାରେ ସରିଲା ଏସ୍‌ଆଇଆର୍‌ ; କଟିଲେ ସାଢ଼େ ୨୦ ଲକ୍ଷ ଭୋଟର

ଓଡ଼ିଶାରେ ସରିଲା ଏସ୍‌ଆଇଆର୍‌ ; କଟିଲେ ସାଢ଼େ ୨୦ ଲକ୍ଷ ଭୋଟର

ଭୁବନେଶ୍ବର, (୨୨/୦୯) : ଆପ୍ର : ରାଜ୍ୟରେ ଚାଲିଥିବା ଭୋଟର୍‌ ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି ।

ଏହି ପ୍ରକ୍ରିୟାରେ ୨୦ ଲକ୍ଷ ୫୭ ହଜାର ୩୩୪ଜଣ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଛନ୍ତି। ଫଳରେ ରାଜ୍ୟରେ ମୋଟ ଭୋଟର୍‌ ସଂଖ୍ୟା ୩କୋଟି ୧୬ଲକ୍ଷ ୩୨ହଜାର ୭୫୪କୁ ଖସି ଆସିଛି। ଏସ୍‌ଆଇଆର୍‌ ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩କୋଟି ୩୩ଲକ୍ଷ ୯୯ ହଜାର ୫୯୧ ଭୋଟର୍‌ ଥିଲେ । ଏସଆଇଆର୍‌ ପ୍ରକ୍ରିୟାରେ ୩କୋଟି ୧୩ଲକ୍ଷ ୮୭ହଜାର ୦୩୪ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରାଯାଇଥିଲା । ଏହା ସମୁଦାୟ ଭୋଟରଙ୍କ ୯୩.୯୭% । ଡ୍ରାଫ୍ଟ ରୋଲ୍‌ ପୂର୍ବରୁ ୨୦,୧୨,୫୫୭ଜଣ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିଲା । ଚିଠା ତାଲିକା ପ୍ରକାଶ ପରେ ଦାବି ଓ ଆପତ୍ତିରେ ୪୪,୭୭୭ଭୋଟର ତାଲିକାରୁ ବାଦ୍ ପଡିଛନ୍ତି ।

ଫଳରେ ସର୍ବମୋଟ ୨୦,୫୭,୩୩୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡ଼ିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର.ଏସ୍‌ ଗୋପାଳନ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସିଇଓ ଶ୍ରୀ ଗୋପାଳନ କହିଛନ୍ତି, ଓଡ଼ିଶାର ମୋଟ ମତଦାତାଙ୍କ ସଂଖ୍ୟା ୩କୋଟି ୧୬ଲକ୍ଷ ୩୨ହଜାର ୭୫୪ ରହିଛି। ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧କୋଟି ୬୧ଲକ୍ଷ ୩୦ହଜାର ୩୧୯, ମହିଳା ଭୋଟରଙ୍କ ସଂଖ୍ୟା ୧କୋଟି ୫୪ଲକ୍ଷ ୯୯ହଜାର ୬୬୧, ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୨,୭୭୪ ରହିଛି। ଏହାସହ, ରାଜ୍ୟରେ ଲିଙ୍ଗ ଅନୁପାତ ୯୫୯କୁ ବୃଦ୍ଧି ପାଇଛି ଓ ଭୋଟର-ଜନସଂଖ୍ୟା ଅନୁପାତ ୬୬.୫୨% ରହିଛି ।

ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ପରେ ରାଜ୍ୟରେ ବୁଥ୍ ସଂଖ୍ୟା ୪୫,୨୫୦କୁ ବୃଦ୍ଧି ପାଇଛି । ବାଦ୍‌ ପଡ଼ିଥିବା ଭୋଟର୍‌ ମଧ୍ୟରେ ମୃତ ଭୋଟର୍‌ ୮,୩୨,୫୪୪ ରହିଛନ୍ତି। ସ୍ଥାନାନ୍ତରିତ ୮,୦୮,୨୦୫ ଭୋଟର୍‌, ଅନୁପସ୍ଥିତ ୧,୯୯,୨୪୯ ଭୋଟର୍‌, ଏକାଧିକ ସ୍ଥାନରେ ନାମ ୧,୫୮,୧୧୮ ଭୋଟର ଓ ଅନ୍ୟାନ୍ୟ କାରଣ ପାଇଁ ୧୪,୪୪୧ ଜଣ ରହିଛନ୍ତି। ୨୦୨୬ ଜୁଲାଇ ୫ରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ଭୋଟର ସଂଖ୍ୟା ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଥିଲା। ଏହାପରେ ଆସିଥିବା ଦାବି ଓ ଆପତ୍ତିର ଶୁଣାଣି କରାଯାଇ ନୂତନ ଭାବେ ୨,୯୦,୪୯୭ ଜଣଙ୍କ ନାମ ଯୋଡ଼ା ଯାଇଥିବା ବେଳେ ୪୪,୭୭୭ ଜଣଙ୍କ ନାମ କଟାଯାଇଥିଲା । ଫଳରେ ଚିଠା ତାଲିକାରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ୨,୪୫,୭୨୦ ଜଣ ନୂଆ ଭୋଟର୍‌ ବୃଦ୍ଧି ପାଇଛନ୍ତି ।

ଜୁଲାଇ ୫ରେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଜଣଙ୍କୁ ନେଇ ଚିଠା ତାଲିକା ପ୍ରକାଶ ପାଇବା ପରେ ଆରମ୍ଭ ହୋଇଥିଲା ଯାଞ୍ଚ ଓ ନୋଟିସ୍ ପର୍ଯ୍ୟାୟ। ଏଥିରେ ୧୨ ଲକ୍ଷ ୯୮ ହଜାର ୭୭୯ ଜଣ ମ୍ୟାପିଙ୍ଗ ହୋଇନଥିବା ଭୋଟର୍‌ ଓ ୪୫ଲକ୍ଷ ୩୭ହଜାର ୬୧୩ ଜଣଙ୍କ ତଥ୍ୟରେ ତ୍ରୁଟି ଦେଖାଯିବାରୁ ମୋଟ୍ ୫୮ ଲକ୍ଷ ୩୬ ହଜାର ୩୯୨ ଜଣଙ୍କୁ ନୋଟିସ୍ ଜାରି କରାଯାଇଥିଲା। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ପ୍ରତ୍ୟେକ କ୍ଷେତ୍ରରେ ଶୁଣାଣି କରିବା ସହ ଦସ୍ତାବିଜ୍ ଯାଞ୍ଚ କରିଥିଲେ। ଦାବି ଓ ଆପତ୍ତି ଅଭିଯୋଗ ଅବଧି ମଧ୍ୟରେ ୨ଲକ୍ଷ ୫୫ହଜାର ୯୯୬ଟି ଆବେଦନ ଆସିଥିବା ବେଳେ ଶୁଣାଣି ପରେ ୨୪,୦୭୦ଜଣ ଅଯୋଗ୍ୟ ପ୍ରମାଣିତ ହୋଇଥିଲେ ଏବଂ ଫର୍ମ-୭ ଜରିଆରେ ୨୦,୭୦୭ଜଣଙ୍କୁ ମିଶାଇ ମୋଟ ୪୪,୭୭୭ ଜଣଙ୍କ ନାମ ବାଦ୍ ପଡ଼ିଥିଲା।

ସେହିପରି, ନୂତନ ଭାବେ ଫର୍ମ-୬, ୬କ ଓ ୮ ମାଧ୍ୟମରେ ୨ ଲକ୍ଷ ୯୦ ହଜାର ୪୯୭ଜଣଙ୍କ ନାମ ଯୋଡ଼ା ଯାଇଥିଲା । ଫଳରେ ଚିଠା ତାଲିକା ତୁଳନାରେ ମୋଟ୍ ୨ ଲକ୍ଷ ୪୫ ହଜାର ୭୨୦ ଜଣ ବୃଦ୍ଧି ପାଇ ଚୂଡ଼ାନ୍ତ ଭୋଟର ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ରେ ପହଞ୍ଚିଛି । ଏଥିରେ ସେନା ଓ ସୁରକ୍ଷା ବାହିନୀରେ ଥିବା ସେବା ଭୋଟର୍‌ଙ୍କ ସଂଖ୍ୟା ୪୬,୮୧୬ ରହିଛି । ଏହି ଚୂଡ଼ାନ୍ତ ଭୋଟର୍‌ ତାଲିକା ସମସ୍ତ ବୁଥ୍‌, ସରକାରୀ ନିର୍ବାଚନ କାର୍ଯ୍ୟାଳୟ ତଥା ନିର୍ବାଚନ ଆୟୋଗ ଓ ସିଇଓଙ୍କ ୱେବସାଇଟ୍‌ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଯାଇଛି ।

ଯେଉଁଠାରେ ନାଗରିକମାନେ ନିଜ ନାମ ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିପାରିବେ ଓ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଆଇନ ଅନୁଯାୟୀ ଜିଲ୍ଲାପାଳ କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିବେଦନ କରିପାରିବେ ବୋଲି କୁହାଯାଇଛି । ସମ୍ମିଳନୀରେ ଅତିରିକ୍ତ ସିଇଓ ସୁଶାନ୍ତ ମିଶ୍ର, ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ ଲୁଗୁନ, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେପୁଟି ସିଇଓ ଡ. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments