ଭୁବନେଶ୍ବର, (୨୧/୦୯) : ଆପ୍ର : ଆଜିଠୁ ବଢ଼ିବ ବର୍ଷା । ଅଧିକ ଶକ୍ତିଶାଳୀ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ।
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ–IMD ଆକଳନ କରିଛି । ପାଣିପାଗ ପ୍ରଣାଳୀଟି ଆହୁରି ଆଗକୁ ବଢ଼ି ଆସନ୍ତା ୨୩ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ବୋଲି IMDର ପୂର୍ବାନୁମାନ କରିଛି । କିନ୍ତୁ କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ, ସେନେଇ ଚୂଡ଼ାନ୍ତ ସୂଚନା ନାହିଁ ।
ଆଜି ଓଡ଼ିଶାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ଏବଂ ଝଟକା ପବନ ହୋଇପାରେ । ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକା ସମୟରେ ୬୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ପୂର୍ବ-ମଧ୍ୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଟକା ପବନ ଆଶଙ୍କା ରହିଛି । ଆସନ୍ତା ୨୩ ଓ ୨୪ରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ୍ ୨୦୪.୪ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ ।
ଏହି ସମୟରେ ପବନର ବେଗ ଝଟକା ସମୟରେ ୭୦ରୁ ୭୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ । ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍ ଅନୁସାରେ, ଆଜି ଲଘୁଚାପ ଅବପାତରେ ଏବଂ କାଲି ଗଭୀର ଅବପାତରେ ପରିଣତ ହୋଇପାରେ । ଏହା ପରେ ପ୍ରଣାଳୀଟି ଆହୁରି ଶକ୍ତିଶାଳୀ ହୋଇ ୨୦୨୬ର ପ୍ରଥମ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନାକୁ ସ୍କାଇମେଟ୍ ଏଡ଼ାଇ ନାହିଁ । ତେବେ ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁବା ସ୍ଥାନ ଏବେଠାରୁ ନିଶ୍ଚିତ କରିବା ଶୀଘ୍ର ହେବ ବୋଲି ସଂସ୍ଥା କହିଛି । ବର୍ତ୍ତମାନ ସୁଦ୍ଧା IMD ଏହାକୁ ବାତ୍ୟା ଘୋଷଣା କରିନାହିଁ । ଅନ୍ୟପଟେ ସ୍କାଇମେଟ୍ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଦର୍ଶାଇଛି । ଅର୍ଥାତ୍ ବାତ୍ୟା ଆଶଙ୍କା ରହିଛି, କିନ୍ତୁ ଏହା ଏବେ ନିଶ୍ଚିତ ନୁହେଁ । ଅବପାତ ସୃଷ୍ଟି ହେବା ପରେ ମିଳୁଥିବା ନୂଆ ତଥ୍ୟରୁ ଏହାର ତୀବ୍ରତା ଓ ଗତିପଥ ଅଧିକ ସ୍ପଷ୍ଟ ହେବ ।

