ଭୁବନେଶ୍ୱର, (୦୫/୦୯) : ଆପ୍ର : ଆଜିଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେଉଛି ।
କଟକ ଇନଡୋର ହଲରେ ହେବାକୁ ଥିବା ଦଳୀୟ ବୈଠକକୁ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ ଉଦଘାଟନ କରିବେ । କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସମସ୍ତ ସାଂସଦ , ବିଧାୟକ ଏବଂ ରାଜ୍ୟର ବିଭିନ୍ନ ଦଳୀୟ ପଦାଧିକାରୀ ସାମିଲ ହେବେ । ବୈଠକରେ ପାଖାପାଖି ୪୦୦ ଜଣ ସଦସ୍ୟ ଉପସ୍ଥିତ ରହିବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।
ବୈଠକ ଶନିବାର ଓ ରବିବାର ଦୁଇ ଦିନ ଧରି ଚାଲିବ । ଆସନ୍ତାକାଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି.ଏଲ.ସନ୍ତୋଷ ଯୋଗ ଦେବେ । କାର୍ଯ୍ୟକାରିଣୀ ବୈଠକରେ ଦଳର ରାଜନୈତିକ ସ୍ଥିତି, ଆଗାମୀ ନିର୍ବାଚନର ରଣନୀତି ଓ କାର୍ଯ୍ୟପନ୍ଥା ସ୍ଥିର ହେବ । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିପରି ପ୍ରତି ଲୋକଙ୍କ ପାଖରେ ପହଁଚିବ ସେ ନେଇ ବିସ୍ତୃତ ଆଲୋଚନା ହେବ । ବୈଠକରେ ମୋଟ ୩ଟି ପ୍ରସ୍ତାବ ଆଗତ କରାଯାଇ ପାରିତ କରାଯିବାର ସୂଚନା ରହିଛି ।

