ପିପିଲି, (୨୫/୧୧) : ଆପ୍ର : ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ । ଟାୱାରରେ ଚଢ଼ିଲେ ଛଟେଇ ବିଦ୍ୟୁତ ଠିକା କର୍ମଚାରୀ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ନିଆରା ପ୍ରତିବାଦ। ଭୁବନେଶ୍ବର, ପୁରୀ, ଜଟଣୀ ସହ ବିଭିନ୍ନ ଅଞ୍ଚଳରେ ଟାୱାର ଉପରେ ଚଢ଼ି ଛଟେଇ ବିଦ୍ୟୁତ ଠିକା କର୍ମଚାରୀମାନେ ପ୍ରତିବାଦ ଜଣାଉଛନ୍ତି । ଓଡ଼ିଶା ବିଦ୍ୟୁତ ଠିକା କର୍ମଚାରୀ ମିଳିତ ମଞ୍ଚ’ ବିଭିନ୍ନ ଦାବିରେ ୫୫ ଦିନ ଧରି ଆନ୍ଦୋଳନ ଚଳାଇଛି । ମଞ୍ଚର ଦାବି ହେଉଛି, କମ୍ପାନୀ ଦ୍ୱାରା ବେଆଇନ ଭାବେ ଛଟେଇ କରାଯାଇଥିବା କଷ୍ଟମର କେୟାର ଏକଜିକ୍ୟୁଟିଭ-CCE କର୍ମଚାରୀଙ୍କୁ ତୁରନ୍ତ ପୁନଃନିଯୁକ୍ତିର ଗ୍ୟାରେଣ୍ଟି, ଆନ୍ୟୁଆଲ ମେଣ୍ଟେନାସ କଣ୍ଟ୍ରାକ୍ଟ-AMC କର୍ମଚାରୀ ଯେଉଁ ସ୍ଥାନରେ କାମ କରୁଥିଲେ ସେହି ସ୍ଥାନରେ କାମ କରିବାକୁ ଅନୁମତି ଓ ଆନ୍ଦୋଳନ ସମୟର ସମସ୍ତ ଦରମା ପ୍ରଦାନ କରାଯାଉ ।
ମିଟରିଂ, ବିଲିଂ ଓ କଲେକ୍ସନ-MBC କର୍ମଚାରୀଙ୍କୁ ସର୍ବନିମ୍ନ ବେତନ ପ୍ରଦାନ ପାଇଁ ଦାବି ରହିଛି ।ଚାକିରିର ସୁରକ୍ଷା ଓ ତ୍ରିପାକ୍ଷିକ ଚୁକ୍ତି ଓ ବେଆଇନ ଭାବେ କରାଯାଇଥିବା ସମସ୍ତ କେସ ପ୍ରତ୍ୟାହାର ପାଇଁ ସଂଘ ଦାବି କରିଛି । କର୍ମଚାରୀମାନଙ୍କ ପାଇଁ ଉଚିତ୍ ପାରିଶ୍ରମିକ, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ଟାଟା କମ୍ପାନୀର ଏକପାଖିଆ ଓ ମନମୁଖୀ ନୀତିକୁ ଆନ୍ଦୋଳନକାରୀମାନେ ତୀବ୍ର ବିରୋଧ କରିଛନ୍ତି ।

