କଳାହାଣ୍ଡି, (୧୫/୧୧) : ଆପ୍ର : କଳାହାଣ୍ଡି ଜିଲ୍ଲାରେ ଖରିଫ ୨୦୨୬–୨୭ ଧାନ ସଂଗ୍ରହ ନିମନ୍ତେ ଧାନ ସଂଗ୍ରହ, ମିଲର୍ସ ବ୍ୟବସ୍ଥା, ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି), ଲ୍ୟାମ୍ପସ୍ (LAMPCS) ଏବଂ ମଣ୍ଡି ଭିତ୍ତିଭୂମି ବିକାଶ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଶନିବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସିଡିଓ, ଜିଲ୍ଲା ପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଉପ ଜିଲ୍ଲାପାଳ ଭବାନୀପାଟଣା ଆଶିନି ଏ ଏଲ୍, ବିଧାୟକ ଜୁନାଗଡଙ୍କ ପ୍ରତିନିଧି, ସଦର ବିଧାୟକଙ୍କ ପ୍ରତିନିଧି, ନର୍ଲା ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଚିଫ ସିଏସ୍ଓ ରଞ୍ଜନ ପଣ୍ଡା ତଥ୍ୟ ରଖିଥିଲେ ।
ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ, ମିଲର୍ସ ଦ୍ଵାରା ଧାନ ସଂଗ୍ରହ, ଲାମ୍ପସ, ପ୍ୟାକ୍ସ, ପାଣି ପଞ୍ଚାୟତ ଦ୍ଵାରା ମଣ୍ଡି ପରିଚାଳନା, ମଣ୍ଡି ମାନଙ୍କରେ ପଲିଥିନ୍ ବ୍ୟାଗ୍, ତାରପୋଲିନ, ପାନୀୟ ଜଳ, ଅସ୍ଥାୟୀ ଗୋଦାମ, ସିସିଟିଭି, ଚାଷୀଙ୍କ ପାଇଁ ଅପେକ୍ଷା ହଲ, ବିଦ୍ୟୁତ ବ୍ୟବସ୍ଥା, ଦଲାଲ ରୋକିବାକୁ ପଦକ୍ଷେପ, ମିଲର୍ସ ଦ୍ଵାରା ଏଜେଣ୍ଟ ନିଯୁକ୍ତି, ଏବଂ କିଭଳି ଶାନ୍ତି ଶୃଙ୍ଖଳାର ସହ ଧାନ ସଂଗ୍ରହ ପ୍ରକ୍ରିୟା ହୋଇପାରିବ ତା ଉପରେ ସମୀକ୍ଷା କରିଥିଲେ । ମିଲର୍ସ ସଭାପତି ଜିଲ୍ଲାରେ ଏ ପର୍ଯ୍ୟନ୍ତ ଏଫ୍ ସି ଆଇ ଦ୍ଵାରା ଚାଉଳ ଷ୍ଟକ୍ ଉଠାଇ ନ ଥିବାରୁ ବର୍ତ୍ତମାନ ଧାନ ସଂଗ୍ରହ ଦ୍ଵାରା ବିଭିନ୍ନ ଅସୁବିଧାକୁ ବୈଠକରେ ଉପସ୍ଥାପନ କରିଥିଲେ । ସାଂସଦ ମାଳବିକା ଦେବୀ ଏହି ବିଷୟ ଉଚ୍ଚ କତ୍ର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ଏବଂ ଏହାର ସମାଧାନ ଶୀଘ୍ର ହେବ ବୋଲି କହିଥିଲେ ଏବଂ ମିଲର୍ସ ମାନଙ୍କୁ ତାଙ୍କର ଏଜେଣ୍ଟ ମାନଙ୍କ ଦ୍ୱାରା ଚାଷୀ ଯେଭଳି ପ୍ରତାରିତ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଜିଲ୍ଲପାଳ, ଧର୍ମଗଡ ବିଧାୟକ ଏବଂ ଚାଷୀ ପ୍ରତିନିଧିଙ୍କ ଅଭିଯୋଗ ଶୁଣି ପ୍ୟାକ୍ସ ମାନଙ୍କରେ ଭଲ ତାରପୋଲିନ ରଖିବାକୁ ଡିଆର୍ସିଏସ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଯୋଗାଣ ବିଭାଗ ତଥ୍ୟ ଅନୁଯାୟୀ ଚଳିତ ଖରିଫ ଋତୁ ପାଇଁ ୧୦୨ଟି ମିଲର୍ସ ଧାନ ସଂଗ୍ରହରେ ଭାଗ ନେବେ । ତନ୍ମଧ୍ୟରୁ ଉଷୁନା ମିଲ ୭୦ଟି, ଅରୁଆ ମିଲ ୧୭ଟି ଏବଂ ହାଇବ୍ରିଡ ମିଲ ୧୫ଟି ରହିଛନ୍ତି । ଗତ ଖରିଫରେ ୬୬,୦୮,୦୦୦ କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଥିବା ବେଳେ ୬୪,୩୧,୭୭୮ କ୍ୱିଣ୍ଟାଲ ଧାନ ସଂଗ୍ରହ ଯାହାକି ୯୭.୩୩ ପ୍ରତିଶତ ହୋଇଥିଲା । ୨୦୨୬-୨୭ ଖରିଫରେ ମୋଟ ୧,୩୬,୮୨୪ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । କୃଷି ବିଭାଗ ସୂଚନା ଅନୁସାରେ ୧,୮୨,୨୭୫ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି, ୬,୯୨,୦୦୦ ମେଟ୍ରିକ୍ ଟନ ଉତ୍ପାଦନ ଆଶା ରଖାଯାଉଛି । ବର୍ତ୍ତମାନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୪୪୧ ଟଙ୍କା ଏବଂ ଗ୍ରେଡ଼ ଏ ଧାନ ମୂଲ୍ୟ ୨୪୬୧ ଟଙ୍କା ରଖାଯାଇଛି । ବୈଠକରେ ଚାଷୀ ପ୍ରତିନିଧି ଦୀପ୍ତି ପ୍ରହରାଜ ଏବଂ ପ୍ରଶାନ୍ତ ପଟ୍ଟଯୋଶୀ ଚାଷୀ ମାନଙ୍କ ଅନେକ ଅସୁବିଧା ସମ୍ପର୍କରେ ଅବଗତ କରିଥିଲେ ଏବଂ ଏହାର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିଲେ । ମିଲର୍ସ ସଭାପତି ଏବଂ ସଭ୍ୟ ନଳିନୀ ପଟ୍ଟଯୋଶୀ ଏବଂ ମହେଶ ବଂଶଲ ମଧ୍ୟ ଧାନ କିଣା, ଷ୍ଟକ୍ ରଖିବା ଓ ଏଫ୍ସିଆଇ ଦ୍ଵାରା ଚାଉଳ ଉଠାଇବା ସମ୍ପର୍କିତ ଅସୁବିଧା ଉପସ୍ଥାପନ କରିଥିଲେ । ବୈଠକରେ ଆର୍ଏମ୍ସି ସମ୍ପାଦକ, ବିଭାଗୀୟ ଅଧିକାରୀ, ଏଫ୍ସିଆଇ ଅଧିକାରୀ, ଚାଷୀ, ମିଲର୍ସମାନେ ଉପସ୍ଥିତ ଥିଲେ ।

