ସମ୍ବଲପୁର, (୦୫/୧୦) : ଆପ୍ର : ସୋସିଆଲ ମିଡିଆରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ପଡ଼ିଲା ମହଙ୍ଗା । ଭାଇରାଲ ରିଲ୍ ପରେ ଅଭିଯୁକ୍ତ ଗିରଫ ।
ରାସ୍ତାରେ ଚଲାଇ ଥାନାକୁ ଆଣିଲା ଧନୁପାଲି ପୋଲିସ । ସମ୍ବଲପୁର ସହରର ଧନୁପାଲି ଥାନା ଅନ୍ତର୍ଗତ ମୋତିଝିରା ଅଞ୍ଚଳରେ ଏହି ଘଟଣା ଘଟିଛି । ମୋତିଝିରାର ଜଣେ ଯୁବକ ନିଜ ସାଙ୍ଗମାନଙ୍କ ସହ ମିଶି ଏକ ରିଲ୍ ଭିଡିଓ ତିଆରି କରି ଇନଷ୍ଟାଗ୍ରାମ ତଥା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ । ଭିଡିଓରେ ଯୁବକ ଜଣକ କହୁଥିଲେ ତାଙ୍କ ଘର ମୋତିଝିରା ଅଞ୍ଚଳରେ, ଆଗକୁ ବଡ଼ ଧରଣର ଅସ୍ତ୍ରଶସ୍ତ୍ରରେ ଆକ୍ରମଣ ହେବ । ତାଙ୍କ ମନରେ ପୋଲିସ କିମ୍ବା ଥାନା ପ୍ରତି କୌଣସି ଭୟ ନାହିଁ । ପୋଲିସ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ପ୍ରୟୋଗ କରିବା ସହିତ ଆଗାମୀ ଦିନରେ ଅଚାନକ ଆକ୍ରମଣ କରିବାର ଧମକ ମଧ୍ୟ ଦେଇଥିଲେ ।
ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ୍ ହେବା ପରେ କିଛି ଘଣ୍ଟା ମଧ୍ୟରେ ବେଶ୍ ଭାଇରାଲ ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା କ୍ଷଣି ସମ୍ବଲପୁର ପୋଲିସ ପ୍ରଶାସନ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଥିଲା । ଧନୁପାଲି ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଭିଡିଓର ସତ୍ୟାସତ୍ୟ ଓ ଯୁବକଙ୍କ ପରିଚୟ ଖୋଜି ବାହାର କରାଯାଇଥିଲା । ପୋଲିସ ଟିମ୍ ମୋତିଝିରା ଅଞ୍ଚଳରେ ଚଢ଼ାଉ କରି ରିଲ୍ ପ୍ରସ୍ତୁତ କରିଥିବା ମୁଖ୍ୟ ଅଭିଯୁକ୍ତ ଯୁବକକୁ କାବୁ କରିଥିଲା ।
ଅଭିଯୁକ୍ତ ଯୁବକଙ୍କୁ କୌଣସି ପୋଲିସ ଗାଡ଼ିରେ ବସାଇବା ପରିବର୍ତ୍ତେ, ଧନୁପାଲି ପୋଲିସ ତାଙ୍କୁ ସର୍ବସାଧାରଣ ରାସ୍ତାରେ ପାଦରେ ଚଲାଇ ଚଲାଇ ଥାନାକୁ ଆଣିଥିଲା । ଯେଉଁ ଯୁବକ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଡନ୍ ପରି ବଡ଼ ବଡ଼ ଡାଇଲଗ୍ କହି ପୋଲିସକୁ ଡରୁ ନଥିବା ଦାବି କରୁଥିଲେ, ପୋଲିସ ହାତରେ ଧରାପଡ଼ିବା ପରେ ତାଙ୍କର ସମସ୍ତ ଦାଦାଗିରି ମଉଳି ଯାଇଥିଲା । ରାସ୍ତାରେ ପାଦରେ ଚାଲି ଚାଲି ଆସିବା ବେଳେ ଯୁବକ ଜଣକ ମୁଣ୍ଡ ତଳକୁ କରି ଚୁପଚାପ୍ ଚାଲୁଥିବା ଦେଖିବାକୁ ମିଳିଥିଲା ।
ସୋସିଆଲ ମିଡିଆରେ ରିଲ୍ କରି ଲାଇକ୍ ଓ ଭ୍ୟୁଜ୍ ପାଇବା ପାଇଁ ଆଜିକାଲି କିଛି ଯୁବକ ଆଇନକାନୁନକୁ ବେଖାତିର କରୁଛନ୍ତି । ନିଜକୁ ବଡ଼ ଡନ୍ ବୋଲି ପ୍ରମାଣିତ କରିବାକୁ ଯାଇ ପୋଲିସ ପ୍ରଶାସନକୁ ଧମକ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ଧନୁପାଲି ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ତା’ର ସବୁ ‘ଦାଦାଗିରି’ ଧୂଳିସାତ୍ କରି ରାସ୍ତାରେ ଚଲାଇ ଚଲାଇ ଥାନାକୁ ଆଣିଛି ।

