କୋରାପୁଟ, (୦୫/୧୦) : ଆପ୍ର : ଆସନ୍ତାକାଲି କୋରାପୁଟ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗସ୍ତ ବେଳେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା HALର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ ।
HAL ସୁନାବେଡ଼ା ୟୁନିଟରେ ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ । ଉତ୍ପାଦନ ବ୍ୟବସ୍ଥା, ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ସେ ଅଧିକାରୀମାନଙ୍କଠାରୁ ତଥ୍ୟ ନେବେ । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସମୀକ୍ଷା ହେବାର କାର୍ଯ୍ୟକ୍ରମ ରହିଛି ।
HALର ବରିଷ୍ଠ ଅଧିକାରୀ ଓ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅଧିକାରୀଙ୍କ ସହ ରାଜନାଥ ସିଂହ ଆଲୋଚନା କରିପାରନ୍ତି । ପ୍ରତିରକ୍ଷା ଉତ୍ପାଦନ ଓ ସୁରକ୍ଷା ସମ୍ପର୍କିତ କେତେକ ପ୍ରମୁଖ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ସୁନାବେଡ଼ା HAL ଦେଶର ପ୍ରତିରକ୍ଷା ଉତ୍ପାଦନ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର । ବିଶେଷ କରି ବିମାନ ଇଞ୍ଜିନ୍ କ୍ଷେତ୍ରରେ ଏହି ଡିଭିଜନର ଗୁରୁତ୍ୱ ରହିଛି । ତେଣୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ପ୍ରତିରକ୍ଷା ଉତ୍ପାଦନ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି ।ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁନାବେଡ଼ା HAL ପରିସର ସହ ସମ୍ପୃକ୍ତ ଅଞ୍ଚଳରେ ଆବଶ୍ୟକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ। କାଲି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ କେଉଁ କେଉଁ ପ୍ରକଳ୍ପର ସମୀକ୍ଷା କରିବେ ? ଆଲୋଚନାରେ କେଉଁ ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇବ, ତାହା ଉପରେ ନଜର ରହିଛି ।

