ଭୁବନେଶ୍ୱର, (୧୧/୧୦) : ଆପ୍ର : ବାପା ମାଷ୍ଟରମାଇଣ୍ଡ, ଦୁଇ ପୁଅଙ୍କ ଅଲଗା ଅଲଗା ଦାୟିତ୍ୱ ! ଏଗ୍ରିମେଣ୍ଟ କରି ଟ୍ରକ୍ ନେଉଥିଲେ, ରାଜ୍ୟ ବାହାରେ କରୁଥିଲେ ବିକ୍ରି ।
୨୦୧୯ରୁ ଚାଲିଥିଲା ଆନ୍ତଃରାଜ୍ୟ ଟ୍ରକ୍ ଚୋରି ରାକେଟ୍ । ୩୦ରୁ ଅଧିକ ଟ୍ରକ୍ ଚୋରି ଅଭିଯୋଗ । ଶେଷରେ ମଞ୍ଚେଶ୍ୱର ଥାନା ପୋଲିସ ପଞ୍ଝାରେ ଦୁଇ ଅଭିଯୁକ୍ତ । କେନ୍ଦୁଝର ଚମ୍ପୁଆରୁ ଧରାପଡ଼ିବା ପରେ ଖୋଲୁଛି ଟ୍ରକ୍ ଚୋରିର ପୂରା ନେଟୱର୍କ । ପ୍ରଥମେ ଟ୍ରକ୍ ଉପରେ ନଜର, ତା’ପରେ ବ୍ୟବସାୟର ବାହାନା । ଗାଡ଼ି ମାଲିକଙ୍କ ବିଶ୍ୱାସ ଜିତି ଏଗ୍ରିମେଣ୍ଟରେ ନେଉଥିଲେ ଟ୍ରକ୍ । ଆଉ ତା’ପରେ ଗାଡ଼ି ଗାଏବ! ଓଡ଼ିଶାରୁ ଟ୍ରକ୍ ନେଇ ରାଜ୍ୟ ବାହାରେ ବିକ୍ରି କରିଦେଉଥିବା ଅଭିଯୋଗ ।
ଏହି ରାକେଟ୍ ରେ ବାପା ନିରଞ୍ଜନ ମହାପାତ୍ର ଗାଡ଼ି ବିକ୍ରିର ଡିଲ୍ କରୁଥିବା ବେଳେ ବଡ଼ ପୁଅ ଅଶୋକ ମହାପାତ୍ର ଟ୍ରକ୍ ନେଇ ଫେରାର ହେଉଥିଲେ । ସାନ ପୁଅ ମନୋଜ ମହାପାତ୍ର ଗାଡ଼ି ମାଲିକଙ୍କ ବିଶ୍ୱାସ ଜିତିବାର ଦାୟିତ୍ୱ ନେଉଥିବା ଅଭିଯୋଗ ହୋଇଛି । କେବଳ ଗୋଟିଏ କି ଦୁଇଟି ଟ୍ରକ୍ ନୁହେଁ, ୩୦ରୁ ଅଧିକ ଟ୍ରକ୍ ଚୋରି ହୋଇଥିବା ଅଭିଯୋଗ ।
ଟଙ୍କା କାରବାର ପାଇଁ ୧୫ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ ବ୍ୟବହାର ହେଉଥିବା ମଧ୍ୟ ସୂଚନା ମିଳିଛି । ଭଞ୍ଜନଗର, ପିପିଲି, ବାଦାମବାଡ଼ି ଓ ବୌଦ୍ଧ ଭଳି ଅଞ୍ଚଳରେ ଏହି ଗ୍ୟାଙ୍ଗ୍ ବିରୋଧରେ ମାମଲା ରହିଥିବା ସୂଚନା ମିଳିଛି। ଗତ ଅଗଷ୍ଟ ମାସରେ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଟ୍ରକ୍ ଚୋରି ହେବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ସିସିଟିଭି ଫୁଟେଜ୍ ଯାଞ୍ଚ ସହ ବିଭିନ୍ନ ତଥ୍ୟକୁ ଆଧାର କରି କେନ୍ଦୁଝର ଚମ୍ପୁଆରେ ପହଞ୍ଚିଥିଲା ପୋଲିସ । ଏବେ ଏହି ରାକେଟ୍ ରେ ଆଉ କିଏ କିଏ ସାମିଲ, ଚୋରି ଟ୍ରକ୍ କେଉଁଠି ବିକ୍ରି ହୋଇଛି ଏବଂ ଟଙ୍କା କାରବାରର ପୂରା ହିସାବ କ’ଣ, ତାହାର ଖୋଳତାଡ଼ କରୁଛି ମଞ୍ଚେଶ୍ୱର ଥାନା ପୋଲିସ ।

