କଟକ, (୨୨/୦୯) : ଆପ୍ର : ଡିଜେ ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାର ନେଇ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ୬ ସପ୍ତାହ ମଧ୍ୟରେ ଗାଇଡଲାଇନ୍ ଆଣିବା ନେଇ ସୁନିଶ୍ଚିତ କରିବାକୁ ଜଗତସିଂହପୁର ଏସ୍ ଡିଏମ୍ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଚାରପତି ଜଷ୍ଟିସ ଆର୍ .କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ଟେଣ୍ଟ ଲାଇଟ୍ ଆଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ୍ ର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୫ ସେପ୍ଟେମ୍ବରରେ ଜଗତସିଂହପୁର ଏସ୍ ଡିଏମ୍ ଡିଜେ ବ୍ୟବହାର ଉପରେ କଟକଣା ଜାରି କରିଥିଲେ। ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଜିଏ ସର୍ବେଶ୍ୱର ବେହେରା ଡିଜେର ପ୍ରଚଣ୍ଡ ଶବ୍ଦ ଯୋଗୁ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ଅସୁବିଧାରେ ପଡ଼ୁଥିବା ଦର୍ଶାଇଥିଲେ । ଡିଜେରୁ ବାହାରୁଥିବା ବିକଟାଳ ଓ ପ୍ରଚଣ୍ଡ ଶବ୍ଦ ଶବ୍ଦ ପ୍ରଦୂଷଣର କାରଣ ହେଉଥିବାରୁ ଏହା ଉପରେ କଟକଣା ଲଗାଇବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶ ଆଇନସମ୍ମତ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ।
ଅନ୍ୟପକ୍ଷରେ, ଆବେଦନକାରୀଙ୍କ ପକ୍ଷରୁ ଡିଜେ ଓ ସାଉଣ୍ଡ ସିଷ୍ଟମ୍ ର ସମ୍ପୂର୍ଣ୍ଣ ବ୍ୟବହାର ବନ୍ଦ କରିବା ବଦଳରେ ନିର୍ଦ୍ଧାରିତ ନିୟମ, ଶବ୍ଦ ସୀମା ଓ ଅନ୍ୟ ମାନଦଣ୍ଡ ମଧ୍ୟରେ ଏହା ବ୍ୟବହାର ପାଇଁ ଅନୁମତି ଦିଆଯିବା ଉଚିତ ବୋଲି ଯୁକ୍ତି ରଖାଯାଇଥିଲା । ୨୦୨୪ରେ ସମାନ ପ୍ରସଙ୍ଗରେ ହାଇକୋର୍ଟ ଗାଇଡଲାଇନ୍ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପର୍ଯ୍ୟନ୍ତ ତାହା ପ୍ରଣୟନ ହୋଇନଥିବା ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

