ବାଲେଶ୍ୱର, (୧୧/୦୯) : ଆପ୍ର : ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଦୁଇ ଜଣ ଅଡିଟର ବାଲେଶ୍ବର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।
ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପ୍ରଜ୍ଞା ପ୍ରକାଶ ପାତ୍ର (ପୁରୀ ଜିଲ୍ଲା ବାସିନ୍ଦା) ଏବଂ ପ୍ରଶାନ୍ତ ପ୍ରଧାନ (ଭୁବନେଶ୍ୱର ବାସିନ୍ଦା) । ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ବାବଦକୁ ମୋଟ ୧୪ ଲକ୍ଷ ୩୮ ହଜାର ୩୪୦ ଟଙ୍କା ଜବତ କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ଭିଜିଲାନ୍ସ ଟିମ୍ ଗୁରୁବାର ବିଳମ୍ବିତ ରାତିରେ ଏହି ଚଢ଼ାଉ କରିଥିଲା । ଦୁଇ ଅଡିଟର ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ କାମ ସାରି ସରକାରୀ ସ୍କର୍ପିଓ ଯୋଗେ ରକ୍ସି ଲେନ୍ସ୍ଥିତ ମହାପାତ୍ର ହୋଟେଲକୁ ଫେରୁଥିଲେ । ଭିଜିଲାନ୍ସ ଅଧିକାରୀମାନେ ଅଧା ବାଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ସେମାନଙ୍କ କବଜାରୁ ୫୨ଟି ଲଫାପା ତଥା ୨୦ଟି ଖୋଲା ବିଡ଼ାରେ ରଖାଯାଇଥିବା ୫ ଲକ୍ଷ ୫୧ ହଜାର ୫୧୦ ଟଙ୍କା ମିଳିଥିଲା । ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ସେମାନେ ଦେଇପାରି ନଥିଲେ ।
ଏହାପରେ ସେମାନେ ରହୁଥିବା ହୋଟେଲ କୋଠରୀରେ ତଲାସି ନିଆଯାଇଥିଲା । ସେଠାରୁ ଆଉ ୮ ଲକ୍ଷ ୮୬ ହଜାର ୮୩୦ ଟଙ୍କା ମିଳିବାରୁ ସମୁଦାୟ ୧୪,୩୮,୩୪୦ ଟଙ୍କା ଜବତ କରାଯାଇଛି । ଗତ ଅଗଷ୍ଟ ୩୦ ତାରିଖରୁ ଏହି ଦୁଇ ଅଡିଟର ବାରିପଦାରେ ରହି ଅଡିଟ୍ କାର୍ଯ୍ୟ ଚଳାଇଥିଲେ। ସେମାନେ ଆଶ୍ରମ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଏସଏସଡି ଛାତ୍ରାବାସର ହିସାବ ଯାଞ୍ଚ କରୁଥିଲେ । ସମସ୍ତ ପ୍ରଧାନଶିକ୍ଷକ ତଥା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ରେକର୍ଡପତ୍ର ଧରି ବାରିପଦା ଡକାଯାଇଥିଲା ।
ଅଡିଟ୍ ସୁରୁଖୁରୁରେ ସାରିବା ପାଇଁ ପ୍ରତି ନାମଲେଖା ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଦାବି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ବିପୁଳ ପରିମାଣର ଅର୍ଥ କେଉଁଠୁ ଆସିଲା, ସେ ନେଇ ଉଭୟଙ୍କୁ ଅଟକ ରଖି ଜେରା ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ସେମାନଙ୍କ ସହ ଜଡ଼ିତ ଅନ୍ୟାନ୍ୟ ଠିକଣାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି ।

