ସୁବର୍ଣ୍ଣପୁର, (୦୪/୦୯) : ଆପ୍ର : ବନ ବିଭାଗର ପାଟ୍ରୋଲିଂ ଗାଡ଼ିରୁ ଖସି ପଡ଼ି ଅସ୍ଥାୟୀ ବନ କର୍ମଚାରୀ ଙ୍କ ମୃତ୍ୟୁ ହୋଇଛି ।
ମୃତ କର୍ମଚାରୀ ଜଣକ ହେଲେ ସାନକଦଳୀପାଲି ଗ୍ରାମର ଶମ୍ଭୁ ଜାଲ। ସେ ତିଲେଇମାଲ ବିଟ୍ ରେ ୱାଚର ଭାବେ କାମ କରୁଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଞ୍ଚଳ ଅଧୀନରେ ଥିବା ଗଏଲବେର୍ଣ୍ଣା ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଡୁଙ୍ଗୁରିପାଲି ଠାରେ ଥିବା ନର୍ସରୀ ରୁ କାମ ସାରି ଗାଡ଼ିରେ ଫେରୁଥିବାବେଳେ ବୁଲାଣି ରେ ଗାଡ଼ି ବୁଲିବା ସମୟରେ ପଛରେ ବସିଥିବା ଶମ୍ଭୁ ଖସି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା l ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଖାନାରେ ବନ ବିଭାଗର ଅଧିକାରୀଙ୍କ ସହିତ ପୁଲିସ ପହଞ୍ଚି ମୃତଦେହ ଜବତ କରି ଶବ ସଂରକ୍ଷଣ ଗୃହରେ ରଖିଥିଲେ ।
ଶୁକ୍ରବାର ଦିନ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରା ଯାଇଥିଲା । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୁଲିସ ଅଟକ ରଖି ଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ଓ ଗ୍ରାମବାସୀ ମାନେ ପରିବାର ବର୍ଗଙ୍କୁ ୧୫ ଲକ୍ଷଟଙ୍କା କ୍ଷତିପୂରଣ ଦାବି ରେ ଡିଏଫଓ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ତେବେ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ଆଉ ସାତ ଦିନ ଭିତରେ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ବିଭାଗୀୟ ପକ୍ଷରୁ ପ୍ରତିଶୃତି ଦିଆଯାଇଛି l ତେବେ ଶବ ସଂସ୍କାର ପାଇଁ ରେଡକ୍ରସ ପକ୍ଷରୁ କୋଡ଼ିଏ ହଜାର ଟଙ୍କା ପ୍ରଦାନ କଲା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା l ଏ ନେଇ ଅଧିକ ତଦନ୍ତ ଜାରିରହିଛି l

