ସମ୍ବଲପୁର, (୨୦/୧୧) : ଆପ୍ର : ସମ୍ବଲପୁର ସହରର ଉପକଣ୍ଠସ୍ଥ ବାବୁବନ୍ଧ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅଜା ଓ ନାତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।
ଶୁକ୍ରବାର ସକାଳ ସମୟରେ ବାବୁବନ୍ଧ ଛକ ଦେଇ ଯାଇଥିବା ଜାତୀୟ ରାଜପଥ (୫୩)ରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଅଜା ଏବଂ ତାଙ୍କର ୧୦ ବର୍ଷୀୟ ନାତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ କ୍ଷତିପୂରଣ ଓ ସୁରକ୍ଷା ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ।
ପ୍ରାପ୍ତସୂଚନା ଅନୁଯାୟୀ, ଗୋଶାଳା ନିକଟସ୍ଥ ସାନଟିକରା ଅଞ୍ଚଳର ପଣ୍ଡିତ ଅସୀମାନନ୍ଦ ଷଡ଼ଙ୍ଗୀଙ୍କ ପୁତ୍ର ପଣ୍ଡିତ ନିରଞ୍ଜନ ଷଡ଼ଙ୍ଗୀ ୫ମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ନାତିଙ୍କୁ ସ୍କୁଲ ପଠାଇବା ପାଇଁ ବାବୁବନ୍ଧ ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ସ୍କୁଲ୍ ବସକୁ ଅପେକ୍ଷା କରିଥିବା ବେଳେ ବରଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଅଜା ଓ ନାତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଖବର ମିଳିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ବୁର୍ଲା ପୁଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି । ପୁଲିସ ଏକ ମାମଲା ରୁଜୁ କରି ମୃତକଙ୍କ ଶବକୁ ହେପାଜତରେ ନେଇ ବ୍ୟବଚ୍ଛେଦ ପାଇଁ ପଠାଇଛି ।

