ସୁବର୍ଣ୍ଣପୁର, (୨୫/୧୦) : ଆପ୍ର : ସୁବର୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୨୬ (ଏ) ଫୁଲମୁଠି ଛକ ନିକଟରୁ ଏକ ଘରୋଇ ବସରୁ ବିନିକା ପୋଲିସ ୩କେଜି.୭୭୫ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛନ୍ତି ।
ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା । ପୁରୁଷ ଜଣକ ହେଲେ ବିହାର ରାଜ୍ୟର ପଶ୍ଚିମ ଚମ୍ପରଣ ଜିଲ୍ଲା ଜମାନିଆ ଗ୍ରାମର ରାମ ପରବେଶ (୨୨) ଏବଂ ମହିଳା ଜଣକ ହେଲେ ଝାରଖଣ୍ଡ ରାଜ୍ୟ ହଜାରିବାଗ ଥାନା ମାରାଙ୍ଗି ଗ୍ରାମର କୌଶଲ୍ୟା କୁମାରୀ (୨୬) । ସୂଚନା ଅନୁଯାଇ ଆଜି ମଧ୍ୟାହ୍ନ ସମୟରେ ସୋନପୁର ପଟୁ ବିନିକା କୁ ଆସୁଥିବା ଏକ ଘରୋଇ ବସରେ ଗଞ୍ଜେଇ ଚୋରା ଚାଲାଣ ହେଉଛି ବୋଲି ବିଶ୍ଵସ୍ଥ ସୂତ୍ରରୁ ବିନିକା ପୋଲିସ ଖବର ପାଇ ଫୁଲମୁଠି ଛକ ନିକଟରେ ବସକୁ ଅଟକାଇ ତଦାରଖ କରିଥିଲେ । ଫଳରେ ବସରୁ ୩.୭୭୫ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ରାମ ଶଙ୍କର ମିଶ୍ର ଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କରାଯାଇଥିଲା । ଉକ୍ତ ଚଢ଼ାଉରେ ବିନିକା ଥାନା ଅଧିକାରୀ ଅନିତା କିଡୋ, ମହାଦେବପାଲି ଫାଣ୍ଡି ଅଧିକାରୀ ଆନନ୍ଦ ନାଏକ, କନେଷ୍ଟବଳ ସାନନ୍ଦ ପଧାନ, ଦୟାନିଧି ବେହେରା, ପ୍ରଦୀପ କହଁର ପ୍ରମୁଖ ସାମିଲ ଥିଲେ ।

