ରାୟଗଡା, (୧୯/୧୧) : ଆପ୍ର : ଆଜି ନ୍ୟୁ ଟାଉନ ପୂଜା କମିଟି କମ୍ୟୁନିଟି ହଲ୍ ରେ ଶ୍ରୀମତୀ ମହେଶ୍ୱତା ପାଣିଗ୍ରାହୀଙ୍କ ତୃତୀୟ କବିତା ସଂକଳନ ଅକ୍ଷରାର୍ଘ୍ୟ ଲୋକାର୍ପିତ ହୋଇଛି ।
ସୁଲେଖିକା ମହେଶ୍ଵତା ଏଇ ପୁସ୍ତକ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଛନ୍ତି । ଏଥିରେ ସ୍ଥାନିତ ଲେଖା ଗୁଡ଼ିକ ଅ ଠାରୁ ଲ କ୍ରମରେ ରହିଛି, ଏହା ହିଁ ହେଉଛି ବହିଟିର ସ୍ୱତନ୍ତ୍ରତା । ଉତ୍କଳ ସମ୍ମିଳନୀ ରାୟଗଡା ଜିଲ୍ଲା ତରଫରୁ ମହାନ୍ ଜନନେତା ଶ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୩ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଅତିଥିମାନେ ଶ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଅତିଥି ମାନଙ୍କ କରକମଳରେ କବିତା ସଂକଳନଟି ଉନ୍ମୋଚିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି, ରାୟଗଡା ଜିଲ୍ଲା ଉତ୍କଳ ସମ୍ମିଳନୀର ସଭାପତି ଶ୍ରୀ ବ୍ରଜ ନାୟକ ଓ ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀ ଶଶି ପଟ୍ଟନାୟକ ଓ ସମ୍ପାଦକ ଶ୍ରୀ ଶିବ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ଏଥିରେ ସହରର ବରିଷ୍ଠ ଓକିଲ , ଶିକ୍ଷାବିତ୍, ସମାଜ ସେବୀ, ବ୍ୟବସାୟୀ, ଶିକ୍ଷକ,ଲେଖକ, ଲେଖିକା ଓ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ସମସ୍ତେ ଲେଖିକାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ବହିଟି ଲୋକପ୍ରିୟତା କାମନା କରିଥିଲେ ।

