ସୁବର୍ଣ୍ଣପୁର, (୧୮/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଅଇଁଲାସାରି ରାସ୍ତାର ପାଙ୍କେଲ ଛକ ନିକଟରେ ଗତ କାଲି ରାତିରେ ଫିଲ୍ମ ଷ୍ଟାଇଲରେ ପ୍ରାୟ ଚାରି ରାଉଣ୍ଡ ଗୁଳିମାରି ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ଦୁର୍ବୃତ୍ତ ।
ମୃତ ଯୁବକ ଜଣକ ହେଲେ ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଗଜବନ୍ଧ ପଞ୍ଚାୟତ ବ୍ରାହ୍ମଣୀପାଲି ଗାଁ’ର ସୁଦାମ ନାଗ (୩୫) ବର୍ଷ । ମୃତ ସୁଦାମ ଗଜବନ୍ଧ ଛକରେ ଏକ ଛୋଟିଆ ଓଲଡିଂ ଦୋକାନ କରି ପରିବାର ଚଳାଉଥିଲା । ହେଲେ ସେ କୌଣସି କାରଣରୁ ସାଲେପାଲି ପାଙ୍କେଲ ରାସ୍ତା ଦେଇ ଡୁଙ୍ଗୁରିପାଲିରୁ ଘରକୁ ଫେରୁ ଥିବା ବେଳେ ଚାରି ରାଉଣ୍ଡ ଗୁଳିମାରି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ମାରିଛି ଦୁର୍ବୃତ୍ତ । ଏପଟେ ଖବର ପାଇଁ ଘଟଣା ସ୍ଥଳକୁ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ, ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଳିନି ପଟେଲ , ରାମପୁର ଥାନା ଅଧିକାରୀ ବିନୋଦିନୀ ବରିହା, ବରଗଡ଼ ଜିଲ୍ଲା ବରପାଲି ଥାନା ଅଧିକାରୀ ପ୍ରମୋଦ ସାହୁ ଓ ପୁଲିସ ଷ୍ଟାଫ ପହଞ୍ଚି ଖୋକା କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ପୁର୍ବ ଶତ୍ରୁତା , ବ୍ୟବସାୟ, ଜମିବାଡ଼ି ବିବାଦ କି କେଉଁ କାରଣରୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି ।ତେବେ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରିଛନ୍ତି । କିଏ ଓ କେଉଁ କାରଣରୁ ସୁଦାମ କୁ ଗୁଳିକରି ହତ୍ୟା କଲା ତାହା ସ୍ୱଷ୍ଟ ଭାବେ ଜଣା ପଡି ନାହିଁ । ଗୁକିକରି ହତ୍ୟା କରିଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୃତ ବ୍ୟକ୍ତିର ସମ୍ପର୍କୀୟ ଲୋକେ ଦାବି କରିଛନ୍ତି । ଏ ସମ୍ପର୍କରେ ପୁଲିସ ଡୁଙ୍ଗୁରିପାଲି ଥାନାରେ ଏକ ମକଦ୍ଦମା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
ଉଲ୍ଲେଖ ଯୋଗ୍ୟ ଯେ, ପ୍ରାୟ ଦୁଇ ମାସ ପୂର୍ବରୁ ବରଗଡ଼ ଓ ସୁବର୍ଣପୁର ଜିଲ୍ଲା ସୀମାନ୍ତ ଚିନାଯୁରୀ ରେ ଜଣେ ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ର ସମିତି ସଭ୍ୟ ଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଥିଲା । ଉଭୟ ଜିଲ୍ଲାର ପୁଲିସ ଏହି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହତ୍ୟାକାରୀ କୁ ପୁଲିସ ଗିରଫ କରି ପାରି ନାହିଁ । ଏହି ଘଟଣାର ୨ ମାସ ପରେ ପୁଣି ଏକ ଗୁଳିକାଣ୍ଡ ରେ ଜଣେ ଯୁବକଙ୍କ ମୃତ୍ୟ ସୀମା ବର୍ତ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦେଖିବାକୁ ବାକି ରହିଲା ଏହି ଉଭୟ ଗୁଳିକାଣ୍ଡ ଘଟଣାରେ ଡୁଙ୍ଗୁରିପାଲି ପୁଲିସ ପର୍ଦ୍ଦାଫାସ କରି ପାରିବ ତ ।

