ପାଟଣା, (୦୩/୧୦) : ଆପ୍ର : ପାଟଣା ବ୍ଳକ ତୁରୁମୁଙ୍ଗା ଥାନା ଅଞ୍ଚଳ ରାଜନଗର-ଚିଲିଦା ରାସ୍ତାରେ ଗତ କାଲି ସନ୍ଧ୍ୟାରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୌରାଞ୍ଚଳର ୧୨ ନମ୍ବର ୱାର୍ଡର ବେଣୁଧର ଦେହୁରୀ (୭୪) ବୋଲି ଜଣା ପଡିଛି । ବେଣୁଧର ନିଜ ପୁଅଙ୍କ ସହ ବାଇକ ରେ କରଞ୍ଜିଆ ଫେରୁଥିଲେ । ସାମ୍ନାରୁ ଆସୁଥିବା ଏକ ବାଇକ୍ ସହ ତାଙ୍କ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ନୁଆଗାଁ ଗ୍ରାମର ଜଣେ ଯୁବକ ଓ ମୃତକଙ୍କ ପୁଅ ଆହତ ହୋଇଥିଲେ । ମୃତକ ଓ ଆହତଙ୍କୁ ୧୦୮ ଯୋଗେ କେନ୍ଦୁଝରସ୍ଥିତ ଧରଣୀଧର ମେଡିକାଲ କଲେଜକୁ ନିଆଯାଇଥିଲା । ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତୁରୁମୁଙ୍ଗା ଥାନାରେ ୨୫୯/୨୦୨୬ ମୂଳେ ଏକ ଦୁର୍ଘଟଣା ମାମଲା ରୁଜୁ କରି ଥାନା ଏ ଏସ ଆଇ ଅନନ୍ତ ନାରାୟଣ ନାଏକ ଆଜି କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ୨ ବାଇକ କୁ ପୁଲିସ ଜବତ କରିଛି ।

