ଗୁଣପୁର, (୨୧/୬) : ଆପ୍ର : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ଠାରେ ବ୍ଲକ ସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ।
ଯୋଗଗୁରୁ ଶ୍ରୀ ଅନନ୍ତ ନାରାୟଣ ପଣ୍ଡା ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ଦିଗଦର୍ଶନ ଦେବା ସହ ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କୁ ବିଭିନ୍ନ ଯୋଗାସନର ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ପୁରୁଷ ଓ ମହିଳା ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସ୍ୱସ୍ତିକ ଜମାଦାର (ଗୋଷ୍ଠୀ ଉନ୍ନୟନ ଅଧିକାରୀ) ଗୁଣପୁର ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ କେଦାର ନାୟକ ( ଉପକୋଷାଗାର ଅଧିକାରୀ) ଗୁଣପୁର ଯୋଗ ଦେଇଥିଲେ ।
ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନା ଓ ତଦାରଖ କରିଥିଲେ । ବ୍ଲକ୍ର ସମସ୍ତ କର୍ମଚାରୀ ଏବଂ ଶିକ୍ଷକ ଶ୍ରୀ ସଞ୍ଜୀବ ପଟ୍ଟନାୟକ, ଶ୍ରୀ ସୁନୀଲ କୁମାର ଗୌଡ଼, ଶ୍ରୀ ମଝିଆ ଖୁଣ୍ଟିଆ ଏବଂ ଶ୍ରୀ ରାମ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ । ଶିବିର ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ଶ୍ରୀ ଦିଲୀପ ଚୌଧୁରୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

