ଆନନ୍ଦପୁର, (୨୫/୧୧) : ଆପ୍ର : ଘସିପୁରା ବୈତରଣୀ ନଦୀର କାଳୀଘାଟ ନିକଟରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଆଲୋଡ଼ନ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଯୁବକ ଗୌରାଙ୍ଗ ପାତ୍ର ନଦୀକୁ ଯାଇଥିବା ସମୟରେ ନବଜାତ ଶିଶୁର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏ ସମ୍ପର୍କରେ ସେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଯୁବକମାନେ ନଦୀରୁ ମୃତଦେହଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ମୃତ ଶିଶୁଟି ଏକ ନବଜାତ ଶିଶୁପୁତ୍ର ବୋଲି ଜଣାପଡ଼ିଥିଲା।ତେବେ ନିରୀହ ନବଜାତ ଶିଶୁକୁ ଏଭଳି ଅବସ୍ଥାରେ ନଦୀରେ ଫିଙ୍ଗିଦେବା ଘଟଣାକୁ ନେଇ ଅଞ୍ଚଳବାସୀ ଗଭୀର ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଅମାନବୀୟ କାର୍ଯ୍ୟ କରିଛି, ତାହାର ତଦନ୍ତ କରିବାକୁ ଦାବି ହୋଇଛି ।
ଏଥିସହ ଅଞ୍ଚଳବାସୀଙ୍କ ମତରେ, ନିକଟସ୍ଥ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ପ୍ରତି ଚିକିତ୍ସିତ ହେଉଥିବା ଏବଂ ପ୍ରସବ ପାଇଁ ଆସିଥିବା ରୋଗୀଙ୍କ ସମ୍ପର୍କିତ ତଥ୍ୟ ଆଇନସମ୍ମତ ଭାବେ ଯାଞ୍ଚ କରାଗଲେ ଘଟଣାର ରହସ୍ୟ ଉନ୍ମୋଚନ ହୋଇପାରେ। ତେବେ ଏହି ଦିଗରେ ତଦନ୍ତର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ନବଜାତ ଶିଶୁଙ୍କ ମୃତଦେହ ନଦୀରେ ଭାସୁଥିବା ଘଟଣା ସାମ୍ନାକୁ ଆସିଛି ।

