- ଲକ୍ଷ୍ୟ ହାସଲ ନହେଲେ ପ୍ରଧାନଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଜିଲ୍ଲାପାଳ ମିଶନ ସକ୍ସେସ୍ ୨.୦’ର ସଫଳ ରୂପାୟଣ ପାଇଁ ପ୍ରଧାନଶିକ୍ଷକ ସମ୍ମିଳନୀ ଓ ତାଲିମ କାର୍ଯ୍ୟକ୍ରମ
ରାୟଗଡ଼ା, (୧୯/୧୧) : ଆପ୍ର : ରାୟଗଡା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସ୍ଥିତି ନା ଅତ୍ୟନ୍ତ ଭଲ, ନା ଅତ୍ୟନ୍ତ ଖରାପ । ଏହା ଏବେ ଚଳନୀୟ ସ୍ଥିତିରେ ରହିଛି । ତେବେ ଏହି ସ୍ଥିତିରେ ସନ୍ତୁଷ୍ଟ ନରହି ଶିକ୍ଷାର ମାନ ଓ ପରୀକ୍ଷା ଫଳରେ ଉନ୍ନତି ଆଣିବାକୁ ପ୍ରଧାନଶିକ୍ଷକମାନେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରନ୍ତୁ ।
ଆଗାମୀ ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲାର ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟରୁ ଅନ୍ତତଃ ଜଣେ ଲେଖାଏଁ ଛାତ୍ରଛାତ୍ରୀ ଏ-ୱାନ୍ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହେବା ଜରୁରୀ । ଏହି ଲକ୍ଷ୍ୟ ହାସଲରେ ବିଫଳ ହେଲେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି କଡ଼ା ଚେତାବନୀ ଦେଇଛନ୍ତି । ସ୍ଥାନୀୟ ଟାଉନ୍ ହଲ୍ଠାରେ ଆୟୋଜିତ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଓ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଏହି ମର୍ମରେ ଉଦ୍ବୋଧନ ଦେଇଥିଲେ । ଏଥିସହ ବିଦ୍ୟାଳୟ ପରିଚାଳନାରେ ପ୍ରଧାନଶିକ୍ଷକମାନେ ନିର୍ଭୟରେ ଓ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ବିଦ୍ୟାଳୟ ପରିସରକୁ ରାଜନୈତିକ ହସ୍ତକ୍ଷେପ ଓ ଅନାବଶ୍ୟକ ବାହ୍ୟ ପ୍ରଭାବରୁ ମୁକ୍ତ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । କୌଣସି ବାହାର ଲୋକଙ୍କୁ ବିଦ୍ୟାଳୟ ପରିସରରେ ଅନଧିକୃତ ପ୍ରବେଶର ସୁଯୋଗ ନଦେବା ସହ ରାଜନୈତିକ ବ୍ୟକ୍ତି, ସାମାଜିକ କର୍ମୀ କିମ୍ବା ଗଣମାଧ୍ୟମର ପ୍ରବେଶକୁ ମଧ୍ୟ ସେ ନାପସନ୍ଦ କରିଥିଲେ । କୌଣସି ଚାପରେ ନପଡ଼ି ନିୟମାନୁଯାୟୀ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନାକୁ ନେଇ ଆସୁଥିବା ଅଭିଯୋଗ, ଖବର ପ୍ରକାଶନ କିମ୍ବା ଆନ୍ଦୋଳନକୁ ନେଇ ଭୟଭୀତ ନହେବାକୁ କହିବା ସହ ବିଦ୍ୟାଳୟକୁ କୌଣସି ପରିସ୍ଥିତିରେ ରାଜନୀତିର ଆଖଡ଼ା ହେବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ ଆଶ୍ୱାସନା ଦେଇଥିଲେ ।
ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଛାତ୍ରାବାସରେ ଶୃଙ୍ଖଳା ରକ୍ଷା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀମାନେ ନିୟମ ଉଲ୍ଲଂଘନ କଲେ କିମ୍ବା ରାଗିଂ ଭଳି ଗୁରୁତର କାର୍ଯ୍ୟରେ ସମ୍ପୃକ୍ତ ରହିଲେ, ନିୟମ ଅନୁଯାୟୀ କଠୋର ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ହେଲେ ସେହି ପିଲାଙ୍କୁ ହଷ୍ଟେଲରୁ ବାହାର କରିବାକୁ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶାନ୍ତିଲତା ମୁନି ସ୍ୱାଗତ ଅଭିଭାଷଣ ରଖିଥିଲେ । ମାଟ୍ରିକ୍ ପରୀକ୍ଷାରେ ଉନ୍ନତ ଫଳାଫଳ, ବିଶେଷକରି ଏ-ୱାନ୍ ଗ୍ରେଡ୍ ହାସଲ ପାଇଁ ଜିଲ୍ଲାର ଅଭିନବ ପଦକ୍ଷେପ ‘ମିଶନ ସକ୍ସେସ୍’ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସେ ଆଲୋକପାତ କରିଥିଲେ । ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ଆଗାମୀ ମାଟ୍ରିକ ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ ଲାଗି ଆରମ୍ଭ ହୋଇଥିବା ମିଶନ ସକ୍ସେସ 2.0କୁ ସଫଳ କରିବା ଉପରେ ପ୍ରଧାନଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ପୂର୍ବତନ ଡିଏଭି ମହାବିଦ୍ୟାଳୟ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା ଯୋଗଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରଧାନଶିକ୍ଷକମାନଙ୍କୁ ଲକ୍ଷ୍ୟଭିତ୍ତିକ ଶିକ୍ଷାଦାନ ଓ ସଫଳତା ହାସଲ ଦିଗରେ ପ୍ରେରଣା ଦେଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ ମଧ୍ୟ ଯୋଗଦେଇ ‘ମିଶନ ସକ୍ସେସ୍’ର ସଫଳ ରୂପାୟନ ସହ ବିଦ୍ୟାଳୟ ଓ ଛାତ୍ରାବାସ ପରିଚାଳନାରେ ପ୍ରଧାନଶିକ୍ଷକମାନଙ୍କ ଦକ୍ଷତା ଓ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ମତ ରଖିଥିଲେ ।
କାର୍ଯ୍ୟକ୍ରମରେ ଆକାଂକ୍ଷା ପାଠ୍ୟକ୍ରମ ଅନ୍ତର୍ଗତ ‘କୁଶଳୀ’, ‘ଜିଜ୍ଞାସା’, ସାହିତ୍ୟ ସୃଜନୀ ଓ ‘କ୍ରୀଡ଼ାଙ୍ଗନା’ର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଜିଲ୍ଲାର ସଫଳତା ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା । ଏଥିସହ ମାଟ୍ରିକ୍ ପରୀକ୍ଷା ଫଳର ଗୁଣାତ୍ମକ ଓ ସଂଖ୍ୟାତ୍ମକ ଅଭିବୃଦ୍ଧି ଲକ୍ଷ୍ୟରେ ଆରମ୍ଭ ହେବାକୁ ଥିବା ଅଭିନବ ଅଭିଯାନ ‘ମିଶନ ସକ୍ସେସ୍ ୨.୦’ ସମ୍ପର୍କରେ ଜିଲ୍ଲା ବିଜ୍ଞାନ ସଂଯୋଜକ ଶକ୍ତି କୁମାର ବେହେରା ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଶିକ୍ଷକ ଶ୍ରୀଧର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ଏଥିରେ ଯୋଗଦେଇଥିଲେ । ରାମନାଗୁଡ଼ା ବିଇଓ ସୃଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

