ଭୁବନେଶ୍ୱର, (୧୨/୦୯) : ଆପ୍ର : ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ନୂତନ ଭୋଟର୍ ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମର ଆୟୁକ୍ତ ତଥା ପୌରପାଳିକା ଏବଂ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ବିଧିବଦ୍ଧ ଚିଠି ଜାରି କରାଯାଇ ନିର୍ଦେଶ ଦିଆଯାଇଛି । ନିର୍ଦେଶ ଅନୁସାରେ, ନିର୍ବାଚନ ପରିଚାଳନା ଓ ଭୋଟର୍ ତାଲିକା ସଂଶୋଧନ ପାଇଁ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ମାଷ୍ଟର୍ ଟ୍ରେନର୍ମାନଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପ୍ରଶିକ୍ଷଣ ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟର୍ରେ ଆୟୋଜନ କରାଯିବ । ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିମ୍ ଘରକୁ ଘର ବୁଲି ସର୍ଭେ କରିବେ । ନୂତନ ଭୋଟର ସାମିଲ ପାଇଁ କଟ୍-ଅଫ୍ ତାରିଖ ୨୦୨୭ ଜାନୁଆରୀ ୧, ଚିଠା ଭୋଟର ତାଲିକା ପ୍ରକାଶନ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ୨୦୨୭ ଫେବୃଆରୀ ୧୦ରେ ହେବ ।
ଗୃହ ଓ ନଗର ଉନ୍ନୟନ ବିଭାଗର ଉପ-ସଚିବ ସମସ୍ତ ପୌରାଞ୍ଚଳ ଆୟୁକ୍ତ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ସର୍ଭେ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଘରକୁଘର ବୁଲି ସର୍ଭେ ସାରିବାକୁ କୁହାଯାଇଛି । ଏଥିସହ ସର୍ଭେ ଟିମ୍କୁ ସମସ୍ତ ପ୍ରକାର ଆବଶ୍ୟକ ସହଯୋଗ ଏବଂ ସମର୍ଥନ ଯୋଗାଇଦେବାକୁ ବିଭାଗ ପକ୍ଷରୁ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ।

