କଣ୍ଟାବାଞ୍ଜି, (୨୩/୦୮) : ଆପ୍ର : କଣ୍ଟାବାଞ୍ଜି ଅବକାରୀ ରେଞ୍ଜ ଅଧୀନ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ଥାନା ସ୍କ୍ୱାର୍ଡ ପକ୍ଷରୁ ପୃଥକ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ୪୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।
ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହ ୩ଟି ବାଇକ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ପୃଥକ ୩ଟି ମାମଲାରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ନିରୀକ୍ଷକ ତିଳକ ରାମ ନାୟକ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି-ତୁରେକେଲା ରାସ୍ତାର ବେହେରା ଛକ ନିକଟରେ ଅବକାରୀ ନିରୀକ୍ଷକଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ମଧ୍ୟପ୍ରଦେଶର ଦୀପକ ଶ୍ରୀବାସ (୨୦)ଙ୍କ ଠାରୁ ୧୩ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ତାଙ୍କ ଠାରୁ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ହୋଣ୍ଡା ବାଇକ (ନଂ. MP18ZA0674) ମଧ୍ୟ ଜବତ କରାଯାଇଛି । ସେହିପରି ବେହେରା ଛକରେ ଯାଞ୍ଚ ସମୟରେ ମଧ୍ୟପ୍ରଦେଶର ଚୋରଭାଟି ଥାନା ଅଞ୍ଚଳର ଦୀପକ କୁମାର ନାପିତ (୩୧)ଙ୍କ ଠାରୁ ୧୩ କେଜି ଗଞ୍ଜେଇ ଜବତ କରାଯାଇଥିଲା ।
ତାଙ୍କ ଠାରୁ ଏକ ନମ୍ବରବିହୀନ ଟିଭିଏସ୍ ରାଇଡର ବାଇକ ମଧ୍ୟ ଜବତ ହୋଇଛି । ଅନ୍ୟପକ୍ଷରେ, ବଙ୍ଗୋମୁଣ୍ଡା ଅବକାରୀ ଥାନା ଏସ୍ଆଇ ମନୋରଞ୍ଜନ ମୁଣ୍ଡାଙ୍କ ନେତୃତ୍ୱରେ ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି ଛକ ନିକଟରେ ଚଢ଼ଉ କରାଯାଇଥିଲା । ଏହି ସମୟରେ ଛତିଶଗଡ଼ର ଗାଁପେଣ୍ଡରା ଥାନା ଅଞ୍ଚଳର ପିତାମ୍ବର ସାରଥୀ ଓ ତାଙ୍କ ସହ ଥିବା କୃଷ୍ଣ ଗନ୍ଧର୍ବ (୨୦)ଙ୍କ ଠାରୁ ୧୩ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏଥିସହ ଗଞ୍ଜେଇ ପରିବହନରେ ବ୍ୟବହୃତ ପଲସର ବାଇକ (ନଂ. MP65ZA4210) ଜବତ କରାଯାଇଛି ।
ଏହି ଘଟଣାଗୁଡ଼ିକରେ ପୃଥକ ୩ଟି ମାମଲା ରୁଜୁ କରି ଗିରଫ ୪ ଜଣଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ସୂତ୍ରରୁ ଜଣାପଡ଼ିଛି । ଚଢ଼ଉରେ କଣ୍ଟାବାଞ୍ଜି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଝିନାପାଣି ଶବରଙ୍କ ନେତୃତ୍ୱରେ ଏଏସ୍ଆଇ ପୃଥ୍ୱୀରାଜ କଁଅର, ମମତା ବେହେରା, ଆଶିଷ ପଟେଲ ଓ ରଞ୍ଜନ କୁମାର ମିଶ୍ର ଏବଂ ବଙ୍ଗୋମୁଣ୍ଡା ଅବକାରୀ ଥାନା ଅଧିକାରୀ ମନୋରଞ୍ଜନ ମୁଣ୍ଡାଙ୍କ ସହ ଚନ୍ଦନ ପଟେଲ ଓ ପ୍ରଫୁଲ୍ଲ ନାଗ ସାମିଲ ଥିଲେ ।

