Homelocalଏସ୍‌ଆଇଆର୍‌ ପ୍ରସଙ୍ଗ; ବାଦ୍ ଭୋଟର୍‌ଙ୍କ ଘରେ ବିଏଲ୍‌ଓ

ଏସ୍‌ଆଇଆର୍‌ ପ୍ରସଙ୍ଗ; ବାଦ୍ ଭୋଟର୍‌ଙ୍କ ଘରେ ବିଏଲ୍‌ଓ

ଭୁବନେଶ୍ୱର : ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଯେଉଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍‌ ଏବଂ ପ୍ରଥମଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦେଶ ଆସିଛି ।

ଏହି କ୍ରମେ ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ବୁଥ୍‌ ଲେଭେଲ ଅଧିକାରୀ (ବିଏଲ୍‌ଓ)ମାନେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍‌ ଏବଂ ପ୍ରଥମଥର ପାଇଁ ଭୋଟର୍‌ ତାଲିକାରେ ପଞ୍ଜିକୃତ ହେବାକୁ ଥିବା ଯୁବବର୍ଗଙ୍କ ପାଖରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ବିଶେଷକରି ଏସ୍‌ଆଇଆର୍‌ ପ୍ରକ୍ରିୟା ଚାଲିଥିବା ସମୟରେ ଅନେକ ଭୋଟରଙ୍କ ଅନୁପସ୍ଥିତି, ସ୍ଥାନାନ୍ତରଣ, ମୃତ୍ୟୁ ଏବଂ ନକଲି ଭୋଟର ପରିଚୟପତ୍ର ଥିବା ବ୍ୟକ୍ତିବିଶେଷ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି ।

ଏହି ଭୋଟର୍‌ଙ୍କ ପାଖରେ ବିଏଲ୍‌ଓମାନେ ପୁଣି ପହଞ୍ଚିବେ । ସେମାନଙ୍କ କାଗଜପତ୍ର ସାନି ଯାଞ୍ଚ କରିବା ସହ ଆବଶ୍ୟକସ୍ଥଳେ ଭୋଟର ତାଲିକାରେ ସାମିଲ କରିପାରିବେ । ଯେଉଁମାନେ ଚୂଡ଼ାନ୍ତ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଛନ୍ତି, କେଉଁ କାରଣରୁ ବାଦ୍ ପଡ଼ିଛନ୍ତି, ଅଭିଯୋଗ ଶୁଣାଣି କରାଯିବ । ସେମାନଙ୍କ ନାମ ତାଲିକା ପ୍ରସ୍ତୁତ ହେବ । ଅନ୍ୟପଟେ ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ବର୍ଷରେ ପଦାର୍ପଣ କରୁଥିବା ଯୁବବର୍ଗ ଫର୍ମ-୬ରେ ଭୋଟର ତାଲିକାରେ ସାମିଲ ହୋଇପାରିବେ । ଇଆରଓଙ୍କ ଅଭିଯୋଗ ଶୁଣାଣି ପରେ ସାନି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ପ୍ରାକ୍ ଏସ୍‌ଆଇଆର୍‌ ପ୍ରକ୍ରିୟାର ଭୋଟର ତାଲିକା ଏବଂ ଏସ୍‌ଆଇଆର୍‌ ପ୍ରକ୍ରିୟା ସରିବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ନୂତନ ଚୂଡ଼ାନ୍ତ ଭୋଟର ତାଲିକା ପଞ୍ଚାୟତ କାର୍ଯ୍ୟାଳୟ, ସହରାଞ୍ଚଳରେ ପୌରପରିଷଦ, ଏନ୍‌ଏସି କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟରେ ଝୁଲାଯିବ । ଏହାର ଏକ ନକଲ କପି ପ୍ରତି ରାଜନୈତିକ ଦଳ ଏବଂ ବୁଥ୍‌ ଲେଭେଲ୍‌ ଏଜେଣ୍ଟଙ୍କୁ ଦିଆଯିବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

ଏସ୍‌ଆଇଆର୍‌ ପ୍ରକ୍ରିୟା ସରିବା ପରେ ଓଡ଼ିଶାରେ ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚୂଡ଼ାନ୍ତ ଭୋଟର ତାଲିକାରେ ମୋଟ ଭୋଟର ସଂଖ୍ୟା ୩କୋଟି ୧୬ଲକ୍ଷ ୩୨ହଜାର ୭୫୪ଜଣ ରହିଛନ୍ତି । ସର୍ବମୋଟ ୨୦ଲକ୍ଷ ୫୭ ହଜାର ୩୩୪ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଛନ୍ତି । ଏସ୍‌ଆଇଆର୍‌ ପ୍ରକ୍ରିୟା ପୂର୍ବରୁ ରାଜ୍ୟରେ ମୋଟ ୩ କୋଟି ୩୩ଲକ୍ଷ ୯୯ ହଜାର ୫୯୧ ଭୋଟର ଥିଲେ ।

ପ୍ରକ୍ରିୟାରେ ୩କୋଟି ୧୩ଲକ୍ଷ ୮୭ହଜାର ୦୩୪ ଭୋଟରଙ୍କୁ ପରିଗଣନା ଫର୍ମ ବିତରଣ କରାଯାଇଛି, ଯାହା ସମୁଦାୟ ଭୋଟରଙ୍କ ୯୩.୯୭% । ୨୦ଲକ୍ଷ ୧୨ହଜାର ୫୫୭ଜଣ ଚିଠା ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଡ୍ରାଫ୍ଟ ରୋଲ୍‌ ପୂର୍ବରୁ ୨୦,୧୨,୫୫୭ଜଣ ଭୋଟରଙ୍କ ନାମ ଚିଠା ଭୋଟର ତାଲିକାରୁ ବାଦ୍ ଦିଆଯାଇଛି । ଚିଠା ତାଲିକା ପ୍ରକାଶ ପରେ ଦାବି ଓ ଆପତ୍ତିରେ ୪୪,୭୭୭ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଛନ୍ତି । ଚିଠା ତାଲିକା ପୂର୍ବରୁ ଏବଂ ଡ୍ରାଫ୍ଟ ରୋଲ ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ମିଶାଇ ସର୍ବମୋଟ ୨୦,୫୭,୩୩୪ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡ଼ିଛନ୍ତି ବୋଲି ସିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments