- ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା, ଶିକ୍ଷାଦାନର ମାନ ଯାଞ୍ଚ
ମୁରିବାହାଲ, (୨୩/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ସୋମବାର ମୁରିବାହାଲ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଯୋଗଦେବା ପରେ ମୁରିବାହାଲ ବ୍ଲକ ସଦର ପଞ୍ଚାୟତି ହାଇସ୍କୁଲ ପରିଦର୍ଶନ କରିଥିଲେ ।
ପରିଦର୍ଶନ ସମୟରେ ସେ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପରୀକ୍ଷା ଫଳାଫଳ ଓ ଭିତ୍ତିଭୂମି ସୁବିଧାର ସମୀକ୍ଷା କରିଥିଲେ । ଶ୍ରେଣୀଗୃହ ବୁଲି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ପାଠ ପଢ଼ାର ମାନ ଯାଞ୍ଚ କରିଥିଲେ । ବିଦ୍ୟାଳୟର ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଗ୍ରନ୍ଥାଗାର, ବିଜ୍ଞାନ ପ୍ରୟୋଗଶାଳା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତଦାରଖ କରିଥିଲେ । ଶିକ୍ଷକମାନଙ୍କ ସହ ଆଲୋଚନା ବେଳେ ଡିଇଓ ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷଣ ଦକ୍ଷତା ବୃଦ୍ଧି, ନିୟମିତ ଶ୍ରେଣୀ ଶିକ୍ଷାଦାନ ଓ ଶତପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ଶିକ୍ଷା କ୍ଷେତ୍ରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ ।
ପରିଦର୍ଶନ ସମୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ରହି ନିଜ ବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକଳାପ, ପରୀକ୍ଷା ଫଳାଫଳ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ । ପରିଦର୍ଶନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ମଧ୍ୟ ଉପସ୍ଥିତ ଥିଲେ ।

