ଭୁବନେଶ୍ବର, (୦୬/୦୬) : ଆପ୍ର : ରାଜ୍ୟରେ ଶିଶୁଙ୍କ ଟିକାକରଣ ବୃଦ୍ଧି ପାଇଛି । ଟିକାକରଣ ହାର ଶତପ୍ରତିଶତରୁ କମ୍ ରହିଥିଲେ ସୁଦ୍ଧା ଏହା ସନ୍ତୋଷଜନକ ଥିବା କୁହାଯାଇଛି ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଶିଶୁଙ୍କ ଟିକାକରଣ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳରେ ଅଧିକ ରହିଛି । ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍ଏଫ୍ଏଚ୍ଏସ୍)-୬ ଅନୁସାରେ ରାଜ୍ୟରେ ୧୨ରୁ ୨୩ ମାସର ଶିଶୁ ଯେକୌଣସି ଟିକା ଗ୍ରହଣ କରିଥିବା ହାର ସହରାଞ୍ଚଳରେ ୯୪.୪ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୯୬.୩ ପ୍ରତିଶତ ରହିଛି । ସେହିପରି ଏହି ବୟସର ବିସିଜି ଟିକା ନେଇଥିବା ହାର ସହରାଞ୍ଚଳରେ ୯୨.୫ % ଓ ଗ୍ରାମାଞ୍ଚଳରେ ୯୫.୮% ରହିଛି ।
ଏହାବ୍ୟତୀତ ୧୨ରୁ ୨୩ ମାସ ଶିଶୁଙ୍କ ମଧ୍ୟରେ ପୋଲିଓ ତୃତୀୟ ପାନ ନେଇଥିବା କ୍ଷେତ୍ରରେ ମଧ୍ୟ ଗ୍ରାମାଞ୍ଚଳ ଶିଶୁ ଆଗୁଆ ରହିଛନ୍ତି । ସହରାଞ୍ଚଳରେ ୮୫.୧ % ଓ ଗ୍ରାମାଞ୍ଚଳରେ ୯୩.୫ ପ୍ରତିଶତ ଶିଶୁ ପୋଲିଓର ତୃତୀୟ ଡୋଜ୍ ନେଇଛନ୍ତି । ଏହି ବୟସର ଶିଶୁଙ୍କ ମଧ୍ୟରେ ପେଣ୍ଟାଭାଲେଣ୍ଟ ଟିକା ସହରାଞ୍ଚଳରେ ୮୬.୮% ଏବଂ ଗ୍ରାମାଞ୍ଚଳରେ ୯୫% ରହିଛି । ସେହିପରି ପ୍ରଥମ ପାନ ଏମ୍ସିଭି ଟିକାକରଣ କ୍ଷେତ୍ରରେ ସହରାଞ୍ଚଳରେ ୮୭.୯%, ଗ୍ରାମାଞ୍ଚଳରେ ୯୫ ପ୍ରତିଶତ ରହିଛି। ୨୪ରୁ ୩୫ ମାସର ଶିଶୁଙ୍କ ଦ୍ବିତୀୟ ପାନ ଏମ୍ସିଭି ଟିକାକରଣ ସହରାଞ୍ଚଳରେ ୮୯.୨ % ଥିବାବେଳେ ଗ୍ରାମାଞ୍ଚଳରେ ୮୫.୯ ପ୍ରତିଶତ ରହିଛି । ଏହାଛଡ଼ା ୧୨ରୁ ୨୩ ମାସ ଶିଶୁଙ୍କ ମଧ୍ୟରେ ହେପାଟାଇଟିସ୍ ବି’ ଟିକାକରଣ ସହରାଞ୍ଚଳରେ ୮୫.୬ % ଏବଂ ଗ୍ରାମାଞ୍ଚଳରେ ୯୦.୩ % ରହିଛି ।
ରୋଟାଭାଇରସ ଟିକାକରଣରେ ଯଥାକ୍ରମେ ସହରାଞ୍ଚଳରେ ୮୨.୩ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୯୦.୭ % ରହିଛି । ଏହାସହିତ ୯ରୁ ୩୫ ମାସ ଶିଶୁଙ୍କ ମଧ୍ୟରେ ଭିଟାମିନ ଏ’ ଟିକା କ୍ଷେତ୍ରରେ(ଶେଷ ୬ ମାସ) ସହରାଞ୍ଚଳରେ ୮୨.୯% ଓ ଗ୍ରାମାଞ୍ଚଳରେ ୮୨.୭% ରହିଛି । ଏହାସହିତ ୧୨ରୁ ୨୩ ମାସ ମଧ୍ୟରେ ଯେକୌଣସି ଟିକାକରଣରେ ସରକାରୀ ଅବା ମାଗଣା ଟିକାକରଣ ସହରାଞ୍ଚଳରେ ୯୫.୮ %, ଗ୍ରାମାଞ୍ଚଳରେ ୯୯.୩% ରହିଛି। ଜନ୍ମ ପରଠାରୁ ଶିଶୁଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପ୍ରତ୍ୟେକ ଟିକା ଠିକ୍ ସମୟରେ ପିଲାଙ୍କୁ ଦେବା ଲାଗି ସରକାର ବାରମ୍ବାର ସଚେତନ କରି ଆସୁଛନ୍ତି। ଘରୋଇ ସ୍ବାସ୍ଥ୍ୟ ଅନୁଷ୍ଠାନ ଜରିଆରେ ଟିକାକରଣ ସହରାଞ୍ଚଳରେ ୩.୬ ପ୍ରତିଶତ ଥିବାବେଳେ ଗ୍ରାମାଞ୍ଚଳରେ ରହିଛି ୦.୩ ପ୍ରତିଶତ ରହିଛି ।

