ମୁରିବାହାଲ, (୨୪/୦୮) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ସିଙ୍ଗପାଲି ଗ୍ରାମ ଛକ ନିକଟରେ ଏକ ବିରାଟ ବରଗଛ ଓହଲି ରାସ୍ତା ଉପରେ ରାସ୍ତାକୁ ଅବରୋଧ କରିଦେଇଥିଲା ।
ଏହି ରାସ୍ତାଟି ମୁରିବାହାଲରୁ ବଙ୍ଗୋମୁଣ୍ଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହୋଇଥିବାରୁ ଏହି ପଥ ଦେଇ ପ୍ରତିଦିନ ଶହ ଶହ ଯାନବାହାନ ଓ ଲୋକେ ଯିବା ଆସିବା କରିଥାନ୍ତି। ବରଗଛ ପଡିବା ଯୋଗୁଁ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯାଇଥିଲା । ଏ ସମ୍ପର୍କରେ ମୁରିବାହାଲ ବିକାଶ ମଞ୍ଚ ସଭାପତି ଫାଲ୍ଗୁନୀ ହାତୀ ଖବର ପାଇ ତୁରନ୍ତ ମୁରିବାହାଲ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ।
ସୂଚନା ପାଇ ଅଗ୍ନିଶମ ଆଇ/ସି ଶ୍ରୀକାନ୍ତ ସେଠ ଷ୍ଟାଫ ନନ୍ଦ କିଶୋର ସମର୍ଥ, ସଂଜିତ ହାତୀ, ମନରଞ୍ଜନ ଗୁଦୁରିଆ, ରଘୁମଣି ଭୋଇ, ପରମା ସିଦର, ଗଣପତି ପଧାନ ଭଲଭଦ୍ର ତାଣ୍ଡି, ଅନ୍ଦ୍ରିୟନ ଭୁଆଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ଓହଲି ଥିବା ଗଛକୁ କାଟି ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ । ବିକାଶ ମଞ୍ଚର ଏହି ତତ୍ପରତା ଓ ଅଞ୍ଚଳରେ ବିଭିନ୍ନ ସମୟରେ ଜନହିତକର କାର୍ଯ୍ୟ କରୁଥିବାରୁ ଅଞ୍ଚଳବାସୀ ମଞ୍ଚର ସମସ୍ତ ସଦସ୍ୟ ଓ ଅଗ୍ନିଶମ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

