କଟକ, (୨୧/୦୮) : ଆପ୍ର : ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍ ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ ଘରୁ ମିଳିଲାଣି ୧୦ ଲକ୍ଷରୁ ଅଧିକ ଟଙ୍କା ।
ପୂର୍ବରୁ ଭିଜିଲାନ୍ସ ୫ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ପୁଣି ତଲାସି ବେଳେ ମିଳିଛି ୫ ଲକ୍ଷ ୭୪ ହଜାର ନଗଦ ଟଙ୍କା । ମୋଟ ୧୦ ଲକ୍ଷ ୭୪ ହଜାର ଟଙ୍କା ଜବତ ହୋଇଛି । ଏଥିସହ ସୁନ୍ଦରଗଡ଼ର କର୍ମଡିହିରେ ପ୍ରାୟ ୩ ହଜାର ୭ ଶହ ବର୍ଗଫୁଟର ଦୁଇ ମହଲା କୋଠା ଠାବ ହୋଇଛି । ସେହିପରି ସୁନ୍ଦରଗଡ଼ ଓ ରାଉରକେଲା ସହର ଉପକଣ୍ଠରେ ୬ଟି ଦାମୀ ପ୍ଲଟ୍ ଠାବ ହୋଇଛି । ୨୪୧ ଗ୍ରାମ ସୁନା ଅଳଙ୍କାର ଓ ୬୩୫ ଗ୍ରାମ ରୁପା ଅଳଙ୍କାର ମଧ୍ୟ ଜବତ ହୋଇଛି । ବ୍ୟାଙ୍କ, ଡାକଘର ଓ ବୀମା ଜମା ଆକାରରେ ପ୍ରାୟ ୬୬ ଲକ୍ଷ ୧୦ ହଜାର ଟଙ୍କା ଥିବା ଜଣାପଡ଼ିଛି ।
ଏକ ହୁଣ୍ଡାଇ ଗ୍ରାଣ୍ଡ୍ ଆଇ-10 ସ୍ପୋର୍ଟସ୍ କାର୍ ଓ ୩ଟି ଦୁଇଚକିଆ ଯାନ ମଧ୍ୟ ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ଅଭିଯୋଗରେ ଭିଜିଲାନ୍ସ ଯାଞ୍ଚ ଜାରି ରହିଛି । ତଲାସି ସରିବା ପରେ ମୁରଲୀଧରଙ୍କ ମୋଟ ସମ୍ପତ୍ତି ଓ ଏହାର ମୂଲ୍ୟ ସମ୍ପର୍କରେ ଆହୁରି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିପାରେ। ଗତକାଲି ଲାଠିକଟାର ରାଜାବସା ଛକ ନିକଟରେ ମୁରଲୀଧର ଉର୍ମାଲଙ୍କୁ ଅଟକାଇଥିଲା ଭିଜିଲାନ୍ସ ଟିମ୍ । ଲାଠିକଟା କାର୍ଯ୍ୟାଳୟରୁ ଭଡ଼ାରେ ନିଆଯାଇଥିବା ସ୍କର୍ପିଓ ଗାଡ଼ିରେ ରାଉରକେଲାସ୍ଥିତ ନିଜ ବାସଭବନକୁ ଯାଉଥିବା ବେଳେ ତାଙ୍କୁ ଅଟକାଯାଇଥିଲା । ଗାଡ଼ି ଯାଞ୍ଚ ବେଳେ ତାଙ୍କ ନିକଟରୁ ମିଳିଥିଲା ୫ ଲକ୍ଷ ଟଙ୍କା ନଗଦ ।

