ସମ୍ବଲପୁର, (୧୧/୧୧) : ଆପ୍ର : ଯୌତୁକ ନିଷେଧ ଆଇନ, ୧୯୬୧ ଉପରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସମ୍ୱଲପୁରଙ୍କ ଦ୍ୱାରା ମଙ୍ଗଳବାର ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥିତ ଏସଏସଏ ସମ୍ମିଳନୀ କକ୍ଷରେ ସଦର ଉପ ଜିଲ୍ଲାପାଳ, ସମ୍ୱଲପୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଭାରପ୍ରାପ୍ତ), ସମ୍ୱଲପୁର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ୱଳ ବ୍ୟକ୍ତି ବାଣୀ ମହାପାତ୍ର, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ର ସଦସ୍ୟା, ପୁଷ୍ପା ମହାପାତ୍ର, ଓକିଲ, ସମ୍ୱଲପୁର, ମହିଳା ଥାନାର ଅଧିକାରିଣୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଦସ୍ୟ, ଡିଏଚଇଡବ୍ଲ୍ୟୁ ର ସମସ୍ତ କର୍ମଚାରୀ; ଓଏସସି, ସମ୍ୱଲପୁର ଓ ଓଏସସି, କୁଚିଣ୍ଡାର ପ୍ରଶାସକ ଏବଂ କେସ ୱାର୍କର, ଶକ୍ତି ସଦନର ଅଧୀକ୍ଷକ, ଏଏସଏସଓ ଓ ଆଶା କର୍ମୀ ଏବଂ ଆଦର୍ଶ, ପତଙ୍ଗ ଓ ମାଇଁ ଭାରତ ଭଳି ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସରୋଜା ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଭାରପ୍ରାପ୍ତ) ସମ୍ୱଲପୁର, ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ କରିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
ପୁଷ୍ପାଞ୍ଜଳି ପଣ୍ଡା, ସଦର ଉପ ଜିଲ୍ଲାପାଳ, ସମ୍ୱଲପୁର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୌତୁକ ପ୍ରଥା ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ସାମାଜିକ ସ୍ଥିତି, ପାରିବାରିକ ସମ୍ମାନ ଓ ଆତ୍ମସମ୍ମାନ ହାନି ହେବାର ଭୟରେ ଅନେକ ଲୋକ ଯୌତୁକ ସମ୍ୱନ୍ଧୀୟ ମାମଲା ଦାଖଲ କରିପାରନ୍ତି ନାହିଁ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ପୁଷ୍ପା ମହାପାତ୍ର, ଓକିଲ, ସମ୍ୱଲପୁର, ସମ୍ୱଳ ବ୍ୟକ୍ତି ଭାବେ ଯୋଗ ଦେଇ ଯୌତୁକ ନିଷେଧ ଆଇନ, ୧୯୬୧ ଏବଂ ଏହାର ସଂଶୋଧନ, ଯୌତୁକ ନିଷେଧ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ବାଣୀ ମହାପାତ୍ର, ଜେଜେବି ସଦସ୍ୟା, ସମ୍ୱଲପୁର, ଯୌତୁକର ସଂଜ୍ଞା, ଆଇନ ଅନୁଯାୟୀ ଦଣ୍ଡ ବିଧାନ, ଆଇନର ଗୁରୁତ୍ୱପୂର୍ଣ୍ଣ ସଂଶୋଧନ, ଏହାର କାର୍ଯ୍ୟାନ୍ୱୟନରେ ଥିବା ଆହ୍ୱାନ ଏବଂ ଯୌତୁକ ପ୍ରଥା ଉଚ୍ଛେଦ ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ପ୍ରଶାସକ ଜ୍ୟୋତି ପ୍ରଧାନ, ସଖୀ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ଗୁଡ଼ିକ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଅଂଶୀଦାର ମାନେ ଯୌତୁକ ପ୍ରଥା ନିଷେଧ ପାଇଁ ସମନ୍ୱିତ ରଣନୀତି ପ୍ରସ୍ତୁତ କରିବାର ସୁଯୋଗ ପାଇଥିଲେ । ଶେଷରେ ଡିଏଚଇଡବ୍ଲ୍ୟୁ, ସମର୍ଥ୍ୟର ଜେଣ୍ଡର୍ ସ୍ପେସାଲିଷ୍ଟ ସୁଚରିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

