ଯୋଡା, (୨୪/୧୦) : ଆପ୍ର : କେନ୍ଦୁଝର ବଲାଣି ବାକରାଢ଼ିପା ହଟିଂରେ ଅଘଟଣ । ବଡ଼ ସିଲିଣ୍ଡରରୁ ଛୋଟ ସିଲିଣ୍ଡରକୁ ଗ୍ୟାସ୍ ଭରିବା ବେଳେ ଅଗ୍ନିକାଣ୍ଡରେ ୩ ଶିଶୁଙ୍କ ସହ ପୋଡି ହୋଇ ବାପା ଗୁରୁତର ।
ସ୍ଥାନୀୟ ଲୋକଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଆୟତ୍ତ ହେଲା ନିଆଁ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁପଚୁପ ବ୍ୟବସାୟୀ ଦୀପକ କୁମାର ସିଂହ ନିଜ ଘରେ ଏକ ବଡ଼ ସିଲିଣ୍ଡରରୁ ଗୋଟିଏ ଛୋଟ ସିଲିଣ୍ଡରକୁ ଗ୍ୟାସ୍ ରିଫିଲିଂ କରୁଥିଲେ । ଏହି ସମୟରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା ।
ହଠାତ୍ ସମଗ୍ର କୋଠରୀକୁ ନିଆଁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଦୀପକଙ୍କ ସମେତ ତାଙ୍କର ତିନି ସନ୍ତାନ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଗୁରୁତର ୪ ଜଣଙ୍କୁ ଉଦ୍ଧାର କରାଯାଇ ସେଲ୍ ବଲାଣି ଡାକ୍ତରଖାନାକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

