ମାଲକାନଗିରି, (୧୧/୦୯) : ଆପ୍ର : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ସଦର ଗାଁ’ରେ ଏକ ଅଭାବନୀୟ ଦୁର୍ଘଟଣାରେ ୨୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି ।
ବିଦ୍ୟୁତ୍ ଖୁଣ୍ଟକୁ ଘେରି ରହିଥିବା ବୁଦା ଓ ଲତା ସଫା କରୁଥିବାବେଳେ ଲୁଚି ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ସଦର ଗାଁର ସାଧୁ ଭୂମିଆ। ସୂଚନା ଅନୁସାରେ, ଶୁକ୍ରବାର ସେ ଘର ପଛପଟେ ନିୟମିତ କାମ କରୁଥିବାବେଳେ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟକୁ ଘେରି ଘଞ୍ଚ ଲତା ଓ ବୁଦା ବଢ଼ିଯାଇଥିବା ଦେଖିଥିଲେ । ସେଗୁଡ଼ିକୁ କାଟି ସଫା କରୁଥିବା ସମୟରେ ବୁଦା ଭିତରେ ଲୁଚିଥିବା ଜୀବନ୍ତ ବିଦ୍ୟୁତ୍ ତାରକୁ ଅଜାଣତରେ ଛୁଇଁ ଦେଇଥିଲେ ।
ପ୍ରବଳ ବିଦ୍ୟୁତ୍ ଝଟକାରେ ସାଧୁ ଛିଟକି ପଡ଼ି ଅଚେତ ହୋଇଯାଇଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଧାଇଁ ଆସି ସଙ୍ଗେସଙ୍ଗେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତୁରନ୍ତ ତାଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ସାଧୁଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ମାଥିଲି ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣା ପୁଣିଥରେ ବିଦ୍ୟୁତ୍ ଖୁଣ୍ଟ ନିକଟରେ ବଢ଼ୁଥିବା ବୁଦା ଓ ଅସୁରକ୍ଷିତ ତାର ପ୍ରତି ଅବହେଳା କେତେ ମାରାତ୍ମକ ହୋଇପାରେ, ତାହା ସାମ୍ନାକୁ ଆଣିଛି ।

