ବଲାଙ୍ଗିର, (୧୨/୧୧) : ଆପ୍ର : ଚାରିଦିନ ଧରି ଚାଲିଥିବା କଳା, ସଂସ୍କୃତି ଓ ପରମ୍ପରାର ମହାକୁମ୍ଭରେ ପଡ଼ିଲା ଯବନିକା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଲୋକକଳା ଓ ନୃତ୍ୟଗୀତର ଆସର ମଧ୍ୟରେ ଉଦ୍ଯାପିତ ହୋଇଛି ଦ୍ୱାଦଶ ଭୀମପାହାଡ଼ ମହୋତ୍ସବ-୨୦୨୬ ।
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀଠାରେ ଆୟୋଜିତ ଏହି ମହୋତ୍ସବର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଭୀମଡୁଙ୍ଗୁରୀକୁ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ ବୋଲି କହିଥିଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ମହୋତ୍ସବର ସଫଳତା କାମନା କରିଥିଲେ । ମହୋତ୍ସବର ଶେଷ ସନ୍ଧ୍ୟାରେ କଂସ ଦରବାର ଓ କଂସବଧ ନାଟକ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିବା ବେଳେ ଘୁଙ୍ଗୁରୁ କଳା, ବଜାସାଲ ଓ ଘୁଡୁକା ନୃତ୍ୟର ତାଳେତାଳେ ଝୁମିଥିଲେ ଦର୍ଶକ । ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅନୁଷ୍ଠାନ ଓ ପ୍ରତିଭାବାନ ବ୍ୟକ୍ତିଙ୍କୁ ଭୀମପାହାଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ନାମଯଜ୍ଞ ଓ ପ୍ରହରୀ ଆୟୋଜନ ସହ ମହୋତ୍ସବର ପରିସମାପ୍ତି ଘଟିଥିଲା । ଭୀମଡୁଙ୍ଗୁରୀର ପର୍ଯ୍ୟଟନ ସମ୍ଭାବନା ସହ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ମହୋତ୍ସବ ଏକ ନୂଆ ପରିଚୟ ସୃଷ୍ଟି କରିଛି ।

