ବାଲୁଗାଁ, (୧୧/୧୦) : ଆପ୍ର : ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଭେଟ ଉତ୍ସବ ବଡ଼ ଧୂମଧାମରେ ପାଳିତ ।
ପୀତ୍ରାଳୟ ଦକ୍ଷ ପ୍ରଜାପତି ମନ୍ଦିରରୁ ମା’ ଭଗବତୀଙ୍କ କାଠି ଠାକୁରାଣୀ ସେବାୟତଙ୍କ ଗହଣରେ ବାହାରି ରାସ୍ତାରେ ବଡ଼ ଭଉଣୀଙ୍କୁ ଅପେକ୍ଷା କରିଥାନ୍ତି । ସେପଟେ ମା ଭଗବତୀଙ୍କ ମୁଖ୍ୟ ମନ୍ଦିରରେ ଅବସ୍ଥାପିତ ଥିବା ଜଙ୍ଗଲ ବାସିନୀ ମା ବିରଜାଈଙ୍କ କାଠି ଠାକୁରାଣୀ ମଧ୍ୟ ସେବାୟତଙ୍କ ଗହଣରେ ବାହାରିଥାନ୍ତି ସାନ ଭଉଣୀଙ୍କ ସହିତ ମିଶିବା ପାଇଁ । ଦୁଇ ଦେବୀଙ୍କ ଭେଟଘାଟ ହୋଇଛି ।
ଘଣ୍ଟ ବାଦ୍ୟ, ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଆଶ୍ୱିନ ଅମାବାସ୍ୟା ତିଥିରେ ପ୍ରତିପଦା ଯୁକ୍ତ ହେବା କ୍ଷଣି ବାଣପୁର ଅଞ୍ଚଳର ଦୁଇ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ଓ ବଡ଼ ଭଉଣୀ ମା ବିରଜାଈଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୁଏ । ଉତ୍ସବରେ ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତ ସାମିଲ ହୋଇଥିଲେ । ପ୍ରାୟ ୧ଘଣ୍ଟା ରୁ ଅଧିକ ସମୟ ଧରି ଦୁଇ ଦେବୀଙ୍କ ନୈସର୍ଗିକ ମିଳନ ପରେ ମା’ବିରଜାଈଙ୍କ କାଠି ଠାକୁରାଣୀ ସାତ ବଖରା ଗୃହରେ ପ୍ରବେଶ କରିଥିଲେ ।
ପରେ ମା ଭଗବତୀଙ୍କ ଚଳନ୍ତି ପ୍ରତିମା ମା କାଠି ଠାକୁରାଣୀ ସ୍ୱମନ୍ଦିରରେ ପ୍ରବେଶ କରିବା ପରେ ବିଭିନ୍ନ ପ୍ରକାରର ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ପରେ ସେବାୟତ ମାନେ ମା ଭଗବତୀଙ୍କ ଆଜ୍ଞାମାଳ ନେଇ ସାତ ବଖରା ଗୃହ ଅଭିମୁଖେ ଆସିଥିଲେ । ପରମ୍ପରା ଅନୁଯାୟୀ ପ୍ରତିପଦା ତିଥିରୁ ମା ଭଗବତୀଙ୍କର ବାହାର ପର୍ବ ସାତ ବଖରା ଗୃହରେ ମହା ଅଷ୍ଟମୀ ପର୍ଯ୍ୟନ୍ତ ଚାଲିବ ।

