ରାୟଗଡ଼ା, (୨୪/୦୬) : ଆପ୍ର : ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ ଗିରଫ । ଅବସରର ସପ୍ତାହେ ପୂର୍ବରୁ ବନ୍ଧା ହେଲେ ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ ।
୨ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ତଲାସି ସମୟରେ ରାୟଗଡ଼ା ସରକାରୀ କ୍ୱାର୍ଟରରୁ ଆହୁରି ୩ ଲକ୍ଷ ୩୯ ହଜାର ଟଙ୍କା ନଗଦ ଜବତ ହୋଇଛି । କାମର ବିଲ୍ ପାସ୍ କରିବା ସହ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବା ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ଜାରି କରିବା ବଦଳରେ ସେ ଏହି ଲାଞ୍ଚ ଦାବି କରିଥିଲେ । ଅଭିଯୁକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରାୟ ୫୦ ଲକ୍ଷ ଟଙ୍କାର ବିଲ୍ କ୍ଲିୟର କରିବା ଏବଂ ଅଭିଜ୍ଞତା ପ୍ରମାଣପତ୍ର ଦେବା ପାଇଁ ପ୍ରଥମେ ୨ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଏନେଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଯୋଜନାବଦ୍ଧ ଜାଲ ବିଛା ଯାଇଥିଲା । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ନନ୍ଦନ ବିହାରସ୍ଥିତ ବାସଭବନ, ନୟାଗଡ଼ ସ୍ଥିତ ପୈତୃକ ଘର, ରାୟଗଡ଼ାସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା । ପ୍ରସନ୍ନ କୁମାର ପଟ୍ଟନାୟକ ଆସନ୍ତା ୩୦ ଜୁନ୍ ୨୦୨୬ରେ ଅବସର ଗ୍ରହଣ କରିବାକୁ ଥିଲେ ।

