ଯାଜପୁର, (୨୩/୧୦) : ଆପ୍ର : ଯାଜପୁରରେ ହାତୀ ଆତଙ୍କ । ବୃଦ୍ଧଙ୍କୁ ଦଳିଦେଲା ଦନ୍ତା । ଯାଜପୁର ଜିଲ୍ଲା ବୈରୀ ଡାଳିଯୋଡ ବନାଞ୍ଚଳ ବନ୍ଧପଲ୍ଲୀ ଗାଁ’ରେ ଅଘଟଣ ।
ମୃତକ ୬୫ ବର୍ଷୀୟ ଜଗନ୍ନାଥ ରାଉତ । ଆଜି ସକାଳୁ ଜଗନ୍ନାଥ ଘରୁ ବାହାରକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ । ଦନ୍ତାଟି ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ବନ ବିଭାଗର କର୍ମଚାରୀ ମାନେ ମୃତଦେହକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ନିକଟରେ ଥିବା ଜଙ୍ଗଲରୁ ହାତୀ ଖାଦ୍ୟ ଅନ୍ବେଷଣରେ ଆସିଥିବାବେଳେ ଜଗନ୍ନାଥ ହାବୁଡ଼ରେ ପଡିଯାଇଥିଲେ ।
ଏହି ବଣୁଆ ହାତୀଟି ଅଞ୍ଚଳରେ ଉପଦ୍ରବ କରିବା ସହ ଫସଲ ନଷ୍ଟ ଓ ଧନ ଜୀବନ ହାନୀ ଘଟାଇଥିବା ଅଭିଯୋଗ ହୋଇଛି । ବାରମ୍ବାର ହାତୀ ଗାଁ ନିକଟକୁ ପଶି ଆସୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି । ଏଭଳି ଘଟଣାର ପୁନରାବୃତ୍ତି ରୋକିବା ସହ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି ।

