- ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା, ଗଣସମାବେଶ ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି
ଟିଟିଲାଗଡ଼, (୨୧/୧୧) : ଆପ୍ର : ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ତଥା ବ୍ରିଟିଶ ଶାସନ ବିରୋଧୀ ସଂଗ୍ରାମର ଅମର ସହିଦ ରେଣ୍ଡୋ ମାଝୀଙ୍କ ସ୍ମୃତିରେ ଆସନ୍ତା ୧୦ ଡିସେମ୍ବର ୨୦୨୬ ତାରିଖରେ ଟିଟିଲାଗଡ଼ଠାରେ ସହିଦ ଦିବସ ପାଳନ କରିବା ନିମନ୍ତେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଟିଟିଲାଗଡ଼ ସ୍ଥିତ ଆଦିବାସୀ ଭବନଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଶ୍ରୀ ପଦ୍ମନ ପ୍ରଧାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ସହିଦ ରେଣ୍ଡୋ ମାଝୀଙ୍କ ଦେଶପ୍ରେମ, ତ୍ୟାଗ, ବଳିଦାନ ଓ ଆଦିବାସୀ ସ୍ୱାଭିମାନର ସୁରକ୍ଷା ପାଇଁ ତାଙ୍କର ଐତିହାସିକ ସଂଗ୍ରାମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଡିସେମ୍ବର ୧୦ ତାରିଖରେ ଟିଟିଲାଗଡ଼ ସହରରେ ଏକ ବିଶାଳ ଆଦିବାସୀ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏଥିରେ ଆଦିବାସୀ ସମାଜର ପାରମ୍ପରିକ ବେଶଭୂଷା, ଲୋକନୃତ୍ୟ, ବାଦ୍ୟଯନ୍ତ୍ର ଓ ସମୃଦ୍ଧ ସାଂସ୍କୃତିକ ପରମ୍ପରା ପ୍ରଦର୍ଶିତ ହେବ । ଏହାପରେ ଏକ ବିଶାଳ ଆଦିବାସୀ ଗଣସମାବେଶ ଆୟୋଜନ କରାଯିବ ।
ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ସାଂସଦ ଶ୍ରୀ ନିରଞ୍ଜନ ବିଶିଙ୍କ ସମେତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ ଶ୍ରୀ ହେମେନ୍ଦ୍ର ନାଥ ହାଁସଦା, ଟିଟିଲାଗଡ଼ ନଗର ସଭାପତି ଶ୍ରୀ ନିତ୍ୟାନନ୍ଦ ମାଝୀ, ସାଂଗଠନିକ ସମ୍ପାଦକ ଶ୍ରୀ ଥବିର ପୂଝାରୀ, ବ୍ଲକ ସଭାପତି ଶ୍ରୀ ରାଜୀବ କୁଅଁର, ଶ୍ରୀ ସନ୍ତୋଷ ପୁଟା, ଶ୍ରୀ ଚୌବନ ମାଝୀ, ଶ୍ରୀ ମନୋରଞ୍ଜନ ଭୋଇ, ଶ୍ରୀ ଘାସିରାମ ମାଝୀ ଓ ଶ୍ରୀ ଜଗନ୍ନାଥ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ ।

