Homelocalଅର୍ଣ୍ଣବ ବାତ୍ୟା ପାଇଁ ସୁବର୍ଣପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ : ୨୮ ଓ ୨୯...

ଅର୍ଣ୍ଣବ ବାତ୍ୟା ପାଇଁ ସୁବର୍ଣପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ : ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷାର ଆଶଙ୍କା

ସୁବର୍ଣ୍ଣପୁର, (୨୬/୧୦) : ଆପ୍ର : ଆସନ୍ତା ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ଆଜି ଉଲୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜିଲ୍ଲାପାଳ ଦେବାଶିଷ ସିଂ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରାଜେଶ ସାହୁ ବୈଠକର ସଂଯୋଜନା କରିଥିଲେ । ଜିଲ୍ଲାରେ କୌଣସି ବଡ଼ ଆଲର୍ଟ ନ ଥିଲେ ମଧ୍ୟ ସମସ୍ତ ବିଭାଗକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ୨୮ ଓ ୨୯ ତାରିଖରେ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇ ଦିନ ଜିଲ୍ଲା ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ । ୨୭ ତାରିଖକୁ ନିରୀକ୍ଷଣ ଦିବସ ଭାବେ ଗ୍ରହଣ କରାଯିବ । ବାତ୍ୟା ପୂର୍ବରୁ ଓ ପରେ ଉଭୟ ସମୟରେ ଜରୁରୀକାଳୀନ ପରିସ୍ଥିତି ଉପୁଜିପାରେ, ତେଣୁ ଆସନ୍ତା ସପ୍ତାହ ସାରା ସତର୍କ ରହିବାକୁ ଜିଲ୍ଲାପାଳ କହିଥିଲେ । ସମସ୍ତ ବ୍ଲକ ର ବିଡିଓ, ତହସିଲଦାର ଏବଂ ପୌରପାଳିକା ଓ NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଜ ନିଜ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟନ୍ତ୍ରଣ କକ୍ଷଗୁଡ଼ିକ ସଠିକ୍ ଭାବେ କାମ କରୁଛି କି ନାହିଁ, ତାହା କ୍ରସ୍ ଚେକ୍ ମଧ୍ୟ କରାଯିବ ।

ଲୋକଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ଆଗୁଆ ସମସ୍ତ ଉଦ୍ଧାର କେନ୍ଦ୍ର ଓ ଆଶ୍ରୟସ୍ଥଳୀ ସଫା ସୁତୁରା କରିବାକୁ କୁହାଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି ପରିସ୍ଥିତିରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ହେବ ବୋଲି କହି ପ୍ରସ୍ତୁତ ରହିବାକୁ କୁହାଯାଇଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକୀୟ ଔଷଧର ମଜୁତ ଯାଞ୍ଚ କରିବାକୁ ଏବଂ ସର୍ପଦଂଶନ ଘଟଣାକୁ ଦୃଷ୍ଟିରେ ରଖି ଆଣ୍ଟିଭେନମ୍ ଷ୍ଟକ୍ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମ୍ବୁଲାନ୍ସ ଉପଲବ୍ଧ ରହିବା ସହ ଚାଳକମାନେ ସବୁବେଳେ ଡ୍ୟୁଟିରେ ରହିବା ନିଶ୍ଚିତ କରିବାକୁ କୁହାଯାଇଛି ।

ଟାଟା ପାୱାର (ବିଦ୍ୟୁତ୍ ବିତରଣ କମ୍ପାନୀ)କୁ ଜିଲ୍ଲାରେ ଦୀର୍ଘ ସମୟ ବିଦ୍ୟୁତ୍ ବିଚ୍ଛିନ୍ନ ନ ହେବା ପାଇଁ ବିକଳ୍ପ ଯୋଜନା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଓ ପବନର ବେଗ ଯୋଗୁଁ ରାସ୍ତାରେ ପଡ଼ିଥିବା ଗଛ ଓ ଭୁଷୁଡ଼ି ପଡ଼ିଥିବା କାନ୍ଥ ହଟାଇବା ପାଇଁ ବ୍ୟବହୃତ ଉପକରଣ ଓ ଯାନବାହାନ ଆଗୁଆ ପରୀକ୍ଷା କରି ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି । ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଚାଉଳ ସହିତ ଚୁଡ଼ା ଓ ମୁଢ଼ି ଭଳି ଶୁଖିଲା ଖାଦ୍ୟ ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ଯାନବାହାନ ଉପଲବ୍ଧ କରାଇବାକୁ କୁହାଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ ଯେ, ଉଦ୍ଧାର କାର୍ଯ୍ୟ ପାଇଁ ୫ଟି ଡଙ୍ଗା ଉପଲବ୍ଧ ଅଛି, ଯାହାକୁ କୌଣସି ଅଞ୍ଚଳ ବନ୍ୟାକବଳିତ ହେଲେ ବ୍ୟବହାର କରାଯାଇପାରିବ ।

ସମସ୍ତ ତହସିଲଦାରଙ୍କୁ ପଲିଥିନ ସିଟ୍ ଉପଲବ୍ଧତା ସୁନିଶ୍ଚିତ କରିବାକୁ ଏବଂ ଆବଶ୍ୟକ ଲୋକଙ୍କୁ ବଣ୍ଟନରେ କୌଣସି ଅବହେଳା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀଙ୍କୁ ଗୃହପାଳିତ ପଶୁ ଓ ପ୍ରାଣୀସମ୍ପଦର ସୁରକ୍ଷା ପାଇଁ ପଶୁ ଚିକିତ୍ସା ଔଷଧର ମଜୁତ ରଖିବାକୁ କୁହାଯାଇଛି । ମତ୍ସ୍ୟ ଅଧିକାରୀଙ୍କୁ ମତ୍ସ୍ୟଜୀବୀ ସଂଘ ମାଧ୍ୟମରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇ ନଦୀକୁ ନଯିବାକୁ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଉଷାରାଣୀ ଦାସ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments