- “ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧତା” ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ
ରାୟଗଡା, (୧୬/୧୧) : ଆପ୍ର : ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି ।
ଚଳିତ ବର୍ଷର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧତା” ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର ଅଧ୍ୟକ୍ଷତା କରିଥିବାବେଳେ, ସମ୍ମାନିତ ଅତିଥି ଭାବେ ଏସ୍ଡିସିର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଯୋଗଦେଇଥିଲେ । ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର ଡ. ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ, ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ରାୟ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଜଳନ୍ଧର ପୁଷିକା ଏବଂ ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ବିନୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାର ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚାସୀନ ଅତିଥି, ସାମ୍ବାଦିକ ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଜାତୀୟ ପ୍ରେସ୍ ଦିବସର ଗୁରୁତ୍ୱ ଓ ସମାଜ ଗଠନରେ ସାମ୍ବାଦିକମାନଙ୍କ ଅବଦାନ ସମ୍ପର୍କରେ ସେ ଆଲୋକପାତ କରିଥିଲେ।
ମୁଖ୍ୟବକ୍ତା ଡ. ଉମେଶ ଚନ୍ଦ୍ର ଶତପଥୀ ନିଜ ବକ୍ତବ୍ୟରେ ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରି କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ ଯୁଗରେ ଖବରର ଲୋକପ୍ରିୟତା ଓ ଦ୍ରୁତ ପ୍ରସାର ଅପେକ୍ଷା ତାହାର ସତ୍ୟତା, ବିଶ୍ୱସନୀୟତା ଓ ସାମାଜିକ ଦାୟିତ୍ୱ ଅଧିକ ଗୁରୁତ୍ୱ ବହନ କରେ। ଖବର ପ୍ରସାରଣରେ ପ୍ରତିଯୋଗିତା ମଧ୍ୟରେ ନିରପେକ୍ଷତା, ତଥ୍ୟର ଯାଞ୍ଚ ଓ ନୈତିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେବା ଆଜିର ସାମ୍ବାଦିକତା ପାଇଁ ଏକ ବଡ଼ ଆହ୍ୱାନ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅଧ୍ୟକ୍ଷ ଏବଂ ସମସ୍ତ ଅତିଥିବୃନ୍ଦ ସାମ୍ବାଦିକତାକୁ ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଅଭିହିତ କରିଥିଲେ। ସମାଜର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ତଥା ସରକାରୀ ଯୋଜନାର ସଫଳ ରୂପାୟନକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ବିଶେଷକରି ଖବରର ଲୋକପ୍ରିୟତା ଓ ପ୍ରସାର ଅପେକ୍ଷା ତାହାର ସତ୍ୟତା, ନିରପେକ୍ଷତା ଓ ବିଶ୍ୱସନୀୟତାକୁ ଅଧିକ ପ୍ରାଧାନ୍ୟ ଦେବା ସହ ସାମ୍ବାଦିକମାନେ ନିଜର ବୃତ୍ତିଗତ ନୈତିକତା ଓ କର୍ତ୍ତବ୍ୟବୋଧକୁ ସର୍ବଦା ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ ।
ସାମ୍ବାଦିକତାର ନୈତିକତା, ସାମାଜିକ ଦାୟିତ୍ୱ ଏବଂ ଜନସାଧାରଣଙ୍କ ନିକଟରେ ସଠିକ୍ ତଥ୍ୟ ପହଞ୍ଚାଇବାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ । ସମାଜରେ ସଚେତନତା ସୃଷ୍ଟି କରିବା ଓ ଜନମତ ଗଠନରେ ଗଣମାଧ୍ୟମର ଭୂମିକା ଅତୁଳନୀୟ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ମହାବିଦ୍ୟାଳୟସ୍ତରରେ ଆୟୋଜିତ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସାମ୍ବାଦିକତାର ମୂଲ୍ୟବୋଧ, ଗଣମାଧ୍ୟମର ଭୂମିକା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ସଚେତନତା ଏବଂ ସୃଜନଶୀଳ ଚିନ୍ତନର ବିକାଶ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଶେଷରେ ଉପଖଣ୍ଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗୁଣପୁର ଶ୍ରୀ ଧନଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରି ମଞ୍ଚାସୀନ ଅତିଥି, ବକ୍ତା, ସାମ୍ବାଦିକ, ଛାତ୍ରଛାତ୍ରୀ ଓ ଆୟୋଜକମାନଙ୍କୁ କୃତଜ୍ଞତା ଜଣାଇଥିଲେ ।

