ସମ୍ବଲପୁର, (୦୪/୧୦) : ଆପ୍ର : ସମ୍ୱଲପୁରର ଗଙ୍ଗାଧର ମଣ୍ଡପଠାରେ ଶନିବାର ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିୟନସିପ ୨୦୨୬ ଉଦଘାଟିତ ହୋଇଯାଇଛି ।
ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ଖେଳାଳି ମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଚାମ୍ପିୟନସିପର ପ୍ରଥମ ଦିନରେ ସବ-ଜୁନିୟର ଓ କ୍ୟାଡେଟ ବର୍ଗର ଜୁଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ଗଙ୍ଗାଧର ମଣ୍ଡପ ଠାରେ ଦିନ ସାରା ରୋମାଞ୍ଚକର ମୁକାବିଲା ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜୁଡୋ ସଂଘର ସଭାପତି ଆଶିତ ପ୍ରଧାନ, ଉପ ସଭାପତି ପି.ସି. ମିଶ୍ର, ଜିଲା ଜୁଡୋ ସଂଘର ସଭାପତି ଗିରିଶ ପଟେଲ, ସମ୍ପାଦକ ତଥା ଆଇନଜୀବୀ ସୁବାସ ଚନ୍ଦ୍ର ବେହେରା, ଅତିଥି ଅନ୍ନପୂର୍ଣ୍ଣା ବାରିକ, ରାଜ୍ୟ ଜୁଡୋ ବୈଷୟିକ ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ରେଫରି କୁନ୍ଦନ ମୁର୍ମୁ, ରାମଦାସ ପଣ୍ଡା ଏବଂ ପୁରୀର ପ୍ରସିଦ୍ଧ ସମାଜସେବୀ ଶ୍ରୀମତୀ ସୁଭାସିନୀ ବାଲିଆରସିଂହ ଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ଅତିଥି, ଅଧିକାରୀ, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀ ମାନେ ଯୋଗ ଦେଇଥିଲେ ।
ଯୁବ ଖେଳାଳି ମାନଙ୍କ ମଧ୍ୟରେ ଜୁଡୋକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ରାଜ୍ୟ ଜୁଡୋ ସଂଘ ଓ ସମ୍ୱଲପୁର ଜିଲା ଜୁଡୋ ସଂଘର ମିଳିତ ଆୟୋଜନରେ ଏହି ଚାମ୍ପିୟନସିପ ଅନୁଷ୍ଠିତ ହେଉଛି । ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ପ୍ରାୟ ୫୦୦ ଖେଳାଳି ଅଂଶଗ୍ରହଣ କରିବେ । ସମ୍ବଲପୁର ସହରରୁ ୪୦ ଜଣ ସ୍ଥାନୀୟ ଖେଳାଳି ମାନେ ବିଭିନ୍ନ ବୟସ ଓ ବର୍ଗରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ସବ – ଜୁନିୟର, କ୍ୟାଡେଟ, ଜୁନିୟର ଓ ସିନିୟର ବର୍ଗରେ ମୁକାବିଲା ଅନୁଷ୍ଠିତ ହେବ ।
ଜୁଡୋ ଫେଡେରେସନ ଅଫ ଇଣ୍ଡିଆର ପ୍ରଚଳିତ ନିୟମ ଅନୁଯାୟୀ, ବିଭିନ୍ନ ବର୍ଗର ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳି ମାନେ ଆଗାମୀ ଜାତୀୟ ଜୁଡୋ ଚାମ୍ପିୟନସିପ ପାଇଁ ଚୟନ ହେବେ । ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଖେଳାଳି ମାନଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ । ଜୁନିୟର ଓ ସିନିୟର ବର୍ଗର ଚାମ୍ପିୟନସିପ ପ୍ରତିଯୋଗିତା ଦ୍ୱିତୀୟ ଦିବସ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁବସ ଚନ୍ଦ୍ର ବେହେରା ସୁଚନା ଦେଇଛନ୍ତି ।

