ବେଲପଡ଼ା, (୧୫/୧୧) : ଆପ୍ର : ବଲାଙ୍ଗିର ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ପୁଣି ଜଙ୍ଗଲୀ ହାତୀ ନେଇଗଲା ଜଣଙ୍କ ଜୀବନ ।
ହାତୀ ଆକ୍ରମଣରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଖେଳିଯାଇଛି ଶୋକ ଓ ଆତଙ୍କ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଘାଗୁର୍ଲ ଗ୍ରାମରେ । ମୃତକ ହେଲେ ଗ୍ରାମର ପଙ୍କଜ କାଣ୍ଡ। ସୂଚନା ଅନୁସାରେ, ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଜଙ୍ଗଲୀ ହାତୀ ଗାଁ ମୁହାଁ ହୋଇଥିବା ବେଳେ କୌଣସି କାମରେ ବାହାରକୁ ଯାଇଥିବା ପଙ୍କଜ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା ।
ଏହି ଘଟଣା ପରେ ବନ ବିଭାଗର କାର୍ଯ୍ୟକଳାପକୁ ନେଇ ତେଜିଛି ଅସନ୍ତୋଷ । ଦୀର୍ଘଦିନ ଧରି ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଥିଲେ ମଧ୍ୟ ହାତୀ ଘଉଡ଼ାଇବା ଓ ଲୋକଙ୍କ ସୁରକ୍ଷା ପାଇଁ କାହିଁକି ଠୋସ୍ ପଦକ୍ଷେପ ନିଆଯାଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ସହ ଉପଯୁକ୍ତ କ୍ଷତିପୂରଣ ଏବଂ ହାତୀ ଉପଦ୍ରବ ରୋକିବାକୁ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ ପାଇଁ ଦାବି ହୋଇଛି । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।

