ସୁବର୍ଣ୍ଣପୁର, (୦୨/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀର ପାତିକାରପଡା ଘାଟ ନିକଟରୁ ଆଜି ଏକ ଦିବ୍ୟାଙ୍ଗ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାରୁ ପ୍ରକାଶ ଯେ ବିନିକା ଏନଏସି ୱାର୍ଡ ନମ୍ବର ୩ ର ଯଶୋଦା ଗୁରୁ ଜଣେ ଦିବ୍ୟାଙ୍ଗ ଅର୍ଥାତ ମାନସିକ ଭିନ୍ନକ୍ଷମ ହୋଇଥିବାରୁ କିଛି ଦିନ ତଳେ ମହାନଦୀ ଶୌଚ ପାଇଁ ଯାଇଥିବା ସମୟରେ ମହାନଦୀରେ ପ୍ରବାହିତ ବନ୍ୟା ପାଣିରେ ଭାସି ଯାଇଥିଲେ କିନ୍ତୁ ତଳ ମୁଣ୍ଡରେ କିଛି ମସ୍ୟଜୀବୀ ତାଙ୍କୁ ପାଣିରୁ ଉଦ୍ଧାର କରି ଅଗ୍ନିଶମ ବାହିନୀଙ୍କ ସାହାଯ୍ୟରେ ତାଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ତାଙ୍କ ଚିକିତ୍ସା କରି ସେ ଭଲ ହେବାପରେ ତାଙ୍କୁ ଘରକୁ ଛାଡିଦେଇଥିଲେ । ଯଶୋଦା ପୁଣି ଗତକାଲି ଠାରୁ ନିଖୋଜ ଥିଲେ, ଆଜି ସକାଳୁ ପାତିକାରପଡା ଘାଟ ନିକଟରେ ଏକ ମୃତ ଦେହ ଭାସୁଥିବା ଦେଖି ଯଶୋଦା ହୋଇଥାଇ ପରେ ଭାବି ପାତିକାରପଡାର କିଛି ଲୋକ ବିନିକା ପୁଲିସକୁ ଖବର ଦେଇଥିଲେ ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସାହାଯ୍ୟରେ ମୁତ ଦେହକୁ ପାଣି ଭିତରୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ବିନିକା ଥାନାରେ କେସ ନମ୍ବର ୨୪/୨୬ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସବ ଇନିସ୍ପେଟର ମାରୁତ ଚନ୍ଦ୍ର ପଧାନ ଓ ପ୍ରଭାତୀ ଦାସ ସୂଚନା ଦେଇଛନ୍ତି ।

