କଣ୍ଟାବାଞ୍ଜି, (୨୩/୦୮) : ଆପ୍ର : ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍ । ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ବଡ ଧରଣର ଡକାୟତି ହୋଇଛି ।
ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ମୁଖ୍ୟ ଛକ ସୁନା ବ୍ୟବସାୟୀ ଫୁଲଚନ୍ଦଙ୍କ ଘର । ଦୁର୍ବୃତ୍ତମାନେ ଘରେ ପଶି ମାରଣାସ୍ତ୍ର ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରିବା ସହ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଘଟଣା ସମୟରେ ଘରେ ଫୁଲଚନ୍ଦଙ୍କ ବୃଦ୍ଧ ବାପା, ମାଆ ଓ ଭଉଣୀ ଉପସ୍ଥିତ ଥିଲେ । ପୁଅ ଓ ବୋହୂ ଘରେ ନଥିବା ସୁଯୋଗ ନେଇ ବୋଲେରୋରେ ୬ ଜଣ ଡକାୟତ ମାରଣାସ୍ତ୍ର ଧରି ଆସିଥିଲେ । ୪ଜଣ ଘରେ ପଶିଥିବାବେଳେ ଦୁଇଜଣ ବାହାରେ ଜଗିଥିଲେ ।
ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଏକ ପ୍ରକାର ବନ୍ଧକ ରଖି ଘରେ ଥିବା ସୁନା ଗହଣା ନେଇ ଫେରାର ହୋଇଥିବା ଜଣାପଡ଼ିଛି । ପରେ ସିସିଟିଭି ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି । ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ବିଶେଷକରି ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଘଟିବା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

